କନକ ବ୍ୟୁରୋ : ଯୁବତୀଙ୍କୁ ଚୁମ୍ବନ ଦେବା ପଡ଼ିଲା ମହଙ୍ଗା । ଜିଭ କାଟିଦେଲେ ପୀଡ଼ିତା । ଏଭଳି ଏକ ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି । ଯେଉଁଠି ଜଣେ ବ୍ୟକ୍ତି ଯୁବତୀଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଜିଭ କାଟିଦେଇଛନ୍ତି ଯୁବତୀ । ଅଭିଯୁକ୍ତକୁ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା କରାଯାଉଛି । ପୋଲିସ ଏନେଇ ଯୌନ ନିର୍ଯାତନା ମାମଲା ରୁଜୁ କରିଛି ଏବଂ ତାଙ୍କୁ ଗିରଫ କରିବାକୁ ପ୍ରସ୍ତୁତି ଚଳାଇଛି ।

Advertisment

ସୂଚନା ମୁତାବକ, ଅଭିଯୁକ୍ତ ଯୁବକ ଚମ୍ପି, ବିଲ୍‌‌ହୌର୍ ଅଞ୍ଚଳରେ ଥିବା ଗାଁର ବାସିନ୍ଦା । ସେ ବିବାହିତ ଏବଂ ଦୁଇଟି ପିଲାର ବାପା । ଏହା ସତ୍ତ୍ବେ ବି ସେ ବହୁତ ଦିନ ଧରି ଗାଁର ଜଣେ ଯୁବତୀଙ୍କ ପିଛା କରୁଥିଲେ । ଏନେଇ ଯୁବତୀଜଣଙ୍କ ବିରୋଧ ବି କରିଥିଲେ । ଏଭଳି ନକରିବାକୁ ବାରମ୍ବାର ଅନୁରୋଧ କରିଥିଲେ ବି ଶୁଣୁନଥିଲେ ଚମ୍ପି । ପିଛା କରିବା ବନ୍ଦ କରିବା ପରିବର୍ତ୍ତେ ସେ ଯୁବତୀଙ୍କୁ ଆହୁରି ଅଧିକ ହଇରାଣ କରିବା ଆରମ୍ଭ କରିଦେଇଥିଲେ । ଗାଁ ଲୋକ ମଧ୍ୟ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଚମ୍ପି କାହା କଥା ଶୁଣିନଥିଲେ ।

ଅଧିକ ପଢ଼ନ୍ତୁ : ମଞ୍ଚରେ ସୀମା ଟପିଲା ଅଶ୍ଳୀଳତା : ମାଆ ସୀତା ଭୂମିକାରେ ଥିବା କଳାକାରଙ୍କୁ ଉଲଗ୍ନ ସହ କଲେ ଦୁଷ୍କର୍ମ ଉଦ୍ୟମ

ଏହି ଘଟଣାଟି ସୋମବାର ଦିନ ଘଟିଥିଲା । ଯେତେବେଳେ ଯୁବତୀ ଜଣକ ବିଲରେ କାମ କରୁଥିଲେ । ଚମ୍ପି ଯୁବତୀଙ୍କ ନିକଟକୁ ଯାଇ ଜୋରଜବରଦସ୍ତି ତାଙ୍କୁ ଧରି ତଳେ ପକାଇ ଦେଇଥିଲେ । ଯୁବତୀଙ୍କ ବିରୋଧ ସତ୍ତ୍ୱେ ସେ ତାଙ୍କୁ କାବୁ କରି ତାଙ୍କ ମୁହଁରେ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ । ଅଭିଯୁକ୍ତ କବଳରୁ ବାହାରି ନପାରିବାରୁ ଯୁବତୀ ଜଣକ ଜୋରରେ ତାଙ୍କ ଜିଭକୁ କାମୁଡ଼ି ଦେଇଥିଲେ । ଯାହା ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା ଏବଂ ଅଭିଯୁକ୍ତ ଜଣକ ଆହତ ହୋଇ ତଳେ ପଡିଯାଇଥିଲେ । ଏହା ଦେଖି ପୀଡ଼ିତା ନିଜ ପରିବାରକୁ ଫୋନ କରି ଘଟଣାସ୍ଥଳକୁ ଡକାଇଥିଲେ । ଏହି ଘଟଣା ପରେ ପୁଲିସକୁ ଡକାଯାଇଥିବା ବେଳେ ପୀଡ଼ିତା ଚମ୍ପଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଏବେ ଅଭିଯୁକ୍ତର ଚିକିତ୍ସା ଚାଲିଥିବା ବେଳେ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି ଜଣାପଡ଼ିଛି ।