କନକ ବ୍ୟୁରୋ, ନକଲି ସୁନା ଦେଇ ବ୍ୟାଙ୍କରୁ ୮୫ଲକ୍ଷ ଋଣ ଠକେଇ, ଅଭିଯୁକ୍ତ ଗିରଫ । କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୟୁକୋ ବ୍ୟାଙ୍କର ସୁନା ମୂଲ୍ୟାଙ୍କନକାରୀ ଭାବେ ଥିବା ପି.ସତ୍ୟରାମ ଆଚାରୀ ଓରଫ ବଣ୍ଟି ନକଲି ସୁନା ଜମା କରି ୟୁକୋ ବ୍ୟାଙ୍କ ବାଲିଗୁଡ଼ା ଶାଖାରୁ ସ୍ବର୍ଣ୍ଣ ଋଣ ହାତେଇଥିଲେ । ଏ ଘଟଣା ଜଣାପଡିବା ପରଠାରୁ ସେ ଫେରାର ହୋଇଯାଇଥିଲେ । ବାଲିଗୁଡା ପୁଲିସ ଖବର ପାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Advertisment

ଅନୁଗୁଳରେ କମୁଛନ୍ତି ସୁଭଦ୍ରା ହିତାଧିକାରୀ, ତୃତୀୟ କିସ୍ତି ମିଳିବା ବେଳକୁ କମିଗଲେଣି ୧୯ ହଜାରରୁ ଅଧିକ ମହିଳା

ବାଲିଗୁଡ଼ା ବଜାରରେ ଅଭିଯୁକ୍ତ ସତ୍ୟରାମଙ୍କର ଗୋଟିଏ ଅଳଙ୍କାର ଦୋକାନ ବି ଅଛି । ଏହି ଅଳଙ୍କାର ଦୋକାନରେ ଜି.ସୀମାଞ୍ଚଳ ରେଡ୍ଡୀ, ରୁନୁବାଳା ପ୍ରଧାନ ଏବଂ ସୁଦୀପ୍ତ ନାୟକ ନାମକ ତିନି ଜଣ ବ୍ୟକ୍ତି କାମ କରୁଥିଲେ । ଅଭିଯୁକ୍ତ ସତ୍ୟରାମଙ୍କ କର୍ମଚାରୀ ସୀମାଞ୍ଚଳ, ରେଣୁବାଳା ଏବଂ ସୁଦୀପ୍ତଙ୍କ ମାଧ୍ୟମରେ ସିକ୍ୟୁରିଟି ଭାବରେ ନକଲି ସୁନା ଜମା କରି ବ୍ୟାଙ୍କରୁ ସ୍ବର୍ଣ୍ଣ ଋଣ ପାଇଥିଲେ । କର୍ମଚାରୀଙ୍କ ନାମରେ ସତ୍ୟରାମ ମୋଟ ୧୪ଟି ସ୍ବର୍ଣ୍ଣଋଣ ମଞ୍ଜୁର କରି ମୋଟ ୮୫ ଲକ୍ଷ ୮୬ ହଜାର ଟଙ୍କା ନେଇଥିଲେ । ହେଲେ ବନ୍ଧକ ଦିଆଯାଇଥିବା ସୁନା ନକଲି ବୋଲି ଜଣାପଡ଼ିବା ପରେ ଗତ ମେ ମାସ ୨୧ ତାରିଖରେ ୟୁକୋ ବ୍ୟାଙ୍କ ଶାଖା ପରିଚାଳକ ମାନସ ରଞ୍ଜନ ନାୟକ ବାଲିଗୁଡା ଥାନାରେ ଲିଖିତ ଏତଲା ଦେଇଥିଲେ । ଏନେଇ ମାମଲା ରୁଜୁ ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।