କନକ ବ୍ୟୁରୋ : ପୁଣି ବେଆଇନ ଗଞ୍ଜେଇ ଚାଷ ଉପରେ ମିଳିତ ଚଢ଼ାଉ । ସାଢେ ୫ ଏକର ଜମିରୁ ୭ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତର ବିଭିନ୍ନ ଗ୍ରାମ ସଂଲଗ୍ନ ଜଙ୍ଗଲରେ ଚଳିତ ବର୍ଷ ବ୍ୟାପକ ପରିମାଣର ବେଆଇନ ଗଞ୍ଜେଇ ଚାଷ ହୋଇଛି ।
ପୂର୍ବରୁ ଚଢାଉ ହୋଇଥିବା ବେଳେ ଆଜି ପୁଣି ଥରେ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି । ଜିଲ୍ଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ରେଢ଼ାଖୋଲ ପୋଲିସ, ଅବକାରୀ, ନାକଟିଦେଉଳ ବନ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ରେଢ଼ାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ପଞ୍ଚାୟତର ଲାଣ୍ଡିମାଳ, କ୍ଷେତ୍ରପୁର ଏବଂ ହରିପୁର ଗ୍ରାମ ସଂଲଗ୍ନ ଜଙ୍ଗଲ ଭିତରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଯାଇ ଥିଲା । ଆଜିର ଏହି ଚଢ଼ାଉରେ ସାଢେ ୫ ଏକର ପରିମିତ ଜମିରୁ ସମୁଦାୟ ୬୮୦୦ ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।
ଅଧିକ ପଢ଼ନ୍ତୁ : ଗଞ୍ଜେଇ ଚୋରାଚାଲାଣର ନୂଆ ତରିକା, ଟ୍ରେନ୍ରେ ସ୍କୁଲ ବ୍ୟାଗ୍ରେ ହେଉଥିଲା ଚାଲାଣ
ସେପଟେ ନିଶା ମାଫିଆଙ୍କ ଉପରେ ପୁଲିସର ପ୍ରହାର । କେନ୍ଦ୍ରାଞ୍ଚଳ ପୁଲିସ ରେଞ୍ଜରେ ଗଞ୍ଜେଇ ଓ ବ୍ରାଉନ୍ସୁଗାର ଭଳି ନିଶା କାରବାର ରୋକିବା ପାଇଁ ୭ଟି ଜିଲ୍ଲାରେ ଚଢ଼ଉ କରି ପାଖାପାଖି ୫ କୋଟି ଟଙ୍କାର ବ୍ରାଉନ୍ସୁଗାର ଓ ଗଞ୍ଜେଇ ଜବତ ହୋଇଛି । ଏବଂ ୨୭୩ ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ୧୪୫ଟି ମାମଲା ରୁଜୁ ହୋଇଛି ।
ବଡ଼କଥା ହେଉଛି ସର୍ବାଧିକ ବ୍ରାଉନ୍ସୁଗାର ଖୋର୍ଦ୍ଧା ଜିଲ୍ଲାରୁ ଜବତ ହୋଇଥିବା ବେଳେ ସର୍ବାଧିକ ଗଞ୍ଜେଇ ନୟାଗଡ଼ ଜିଲ୍ଲାରୁ ଜବତ ହୋଇଛି । କେନ୍ଦ୍ରାଞ୍ଚଳ ପୁଲିସ ଅଧିନରେ ଥିବା ପୁରୀ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ଯାଜପୁର ଜିଲ୍ଲାରେ ନିଶା ମାଫିଆଙ୍କୁ ସାବାଡ଼ କରିବାକୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ କୋଟି ୬୧ ଲକ୍ଷ ୬୬ ହଜାର ୧୮୦ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛି । ମୋଟ ୨୫ଟି ମାମଲା ରୁଜୁ ହୋଇଥିବା ବେଳେ ୫୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/03/illegal-ganja-cultivation-2025-11-03-12-01-37.jpg)