କନକ ବ୍ୟୁରୋ : ଜଙ୍ଗଲ ବିଭାଗରେ ଥର ଗାଡ଼ି କିଣାକୁ ନେଇ ହୋଇଛି କି ବଡ଼ ଦୁର୍ନୀତି । ଥର ଗାଡି ମୋଡିଫିକେସନରେ ୫ କୋଟି ଅତିରିକ୍ତ ଖର୍ଚ୍ଚ ନେଇ ବିଧାନସଭାରେ ମନ୍ତ୍ରୀ ଉତ୍ତର ଦେବା ପରେ ଦୁର୍ନୀତିର ଗନ୍ଧ ବାରି ହେଉଛି । ଏହି ଘଟଣାର ତଦନ୍ତ ହେବ, ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

Advertisment

ଜଙ୍ଗଲ ଭିତରେ ପେଟ୍ରୋଲିଂ କରିବା ପାଇଁ ଜଙ୍ଗଲ ବିଭାଗ କିଣିଛି ଥର୍ ଗାଡ଼ି । ୫୧ଟି ଗାଡ଼ିକୁ ୭ କୋଟିରେ କିଣି ମୋଡିଫିକେସନ ପାଇଁ ଖର୍ଚ୍ଚ କରିଛନ୍ତି ଅଧିକ ୫କୋଟି । ଅର୍ଥାତ୍ ଗୋଟିଏ ଗାଡ଼ିର କିଣା ମୂଲ୍ୟ ୨୪ ଲକ୍ଷରୁ ଅଧିକ ଟଙ୍କା । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉତ୍ତର ରଖବା ପରେ ଥର କିଣାକୁ ନେଇ ଉଠିଛି ପ୍ରଶ୍ନ । ଥର୍ ଗାଡ଼ି କିଣା ଓ ମୋଡିଫିକେସନ ବା ସୌନ୍ଦର୍ଯ୍ୟକରଣ ନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ମୋଡିଫିକେସନ୍‌ର ଆବଶ୍ୟକତା ଥିବା ଦୃଷ୍ଟିରୁ ହୋଇଥାଇପାରେ । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇଥିଲେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଧିକ ପଢ଼ନ୍ତୁ : ନକଲି ଫୋନ୍‌ ପେ’, ଅସଲି ଠକେଇ : ଠକକୁ ଗିରଫ କଲା ପୁଲିସ

ଜଙ୍ଗଲ ବିଭାଗର ଅଧିକାରୀ ଚଢୁଥିବା ଥର୍ ଗାଡ଼ିକୁ ପେଟ୍ରୋଲିଂ ଉଦ୍ଦେଶ୍ୟରେ ବ୍ୟବହାର କରିବେ ସରକାରୀ ବାବୁ । ରାତି ସମୟରେ ପେଟ୍ରୋଲିଂ ପାଇଁ ଦୁଇଟି ବଡ଼ ଲାଇଟ ଲଗାଯାଇଛି। ବମ୍ଫରର ମୋଡିଫିକେସନ କରାଯାଇଛି । ଏମିତି ଅନେକ କିଛି ମୋଡିଫିକେସନ କରାଯାଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୧୦ ଲକ୍ଷ ଟଙ୍କା । ତେବେ ଏଭଳି ଗାଡ଼ି ମୋଡିଫିକେସନ କଲେ କେତେ ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଜଣେ ଅଟୋମୋବାଇଲ ଡିଜାଇନରଙ୍କୁ ପଚରାଯାଇଥିଲା । ଏଭଳି ମୋଡିଫିକେସନ କଲେ ଅତି ବେଶୀରେ ସାଢେ ୩ରୁ ୪ଲକ୍ଷ ଖର୍ଚ୍ଚ ହୋଇପାରେ ବୋଲି କହିଛନ୍ତି ।

ଯେଉଁ ଗାଡ଼ି ୧୪ଲକ୍ଷରେ କିଣାଯାଇଛି ତାର ଟପ୍‌ ମଡେଲ୍‌ର ଦାମ୍‌ ପ୍ରାୟ ୨୦ଲକ୍ଷ ଟଙ୍କା । ତେଣୁ ଜଙ୍ଗଲ ବିଭାଗ ସେହି ଗାଡ଼ି ନକିଣି ବେସ୍ ମଡେଲ୍ କିଣି ୧୦ ଲକ୍ଷ ଟଙ୍କା କାହିଁକି ଖର୍ଚ୍ଚ କରିଛି ବୋଲି ଉଠିଲାଣି ପ୍ରଶ୍ନ ।