କନକ ବ୍ୟୁରୋ: ଓଡ଼ିଶାରେ ଅବୈଧ ଲଘୁ ଖଣିଜ ଲୁଟ ମାମଲା । ବିଜେଡି ନେତାଙ୍କ ଘରେ ଇଡିର ତନାଘନା । ଗଞ୍ଜାମରେ ୫ରୁ ଅଧିକ ସ୍ଥାନରେ ୧୦୦ ଜଣିଆ ଟିମ୍‌ର ରେଡ୍ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଭୁବନେଶ୍ୱର ଜୋନାଲ ଅଫିସ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ବାଲି ଏବଂ କଳାପଥର ଖଣି ଭଳି ଲଘୁ ଖଣିଜ ପଦାର୍ଥର ବେଆଇନ ଏବଂ ଅନଧିକୃତ ଖନନ ମାମଲାରେ ଚଢାଉ ଚାଲିଛି । ବେଆଇ ଭାବେ ଲଘୁ ଖଣିଜ ଉତ୍ତୋଳନ କରି ବିକ୍ରି କରୁଥିବା ମାଫିଆଙ୍କ ଠିକଣାରେ ରେଡ ଚଳାଇଛନ୍ତି ଇଡି ଅଧିକାରୀ । ଲଘୁ ଖଣିଜ ଲୁଟ ଘଟଣାରେ ଗ୍ୟାଙ୍ଗଷ୍ଟର ଏବଂ ବାହୁବଳୀମାନେ ସାମିଲ ଅଛନ୍ତି । ଯେଉଁମାନେ ଅଞ୍ଚଳରେ ଆତଙ୍କ ଖେଳାଇ ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଲୁଟ ଚଳାଇଥିଲେ । 

Advertisment

ରାଜ୍ୟରେ ଶୀତ ଲହର ଜାରୀ: ୧୫ ଡିଗ୍ରୀ ଭିତରେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା

ପୂର୍ବରୁ, ଇଡି ବିଭିନ୍ନ ବାଲି ମାଫିଆଙ୍କ ବିରୋଧରେ ଏଫଆଇଆର ଆଧାରରେ ତଦନ୍ତ ଚଳାଇଛି । ଯେଉଁମାନେ ମିଥ୍ୟା ଓ ଜାଲ କାଗଜପତ୍ର ଦେଇ ଗଞ୍ଜାମରେ ଲଘୁ ଖଣିଜ ପଦାର୍ଥର ଅବୈଧ ଖଣି ପରିବହନ କରୁଥିଲେ । ସିଏଜି ତାଙ୍କ ରିପୋର୍ଟରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ବାହୁଦା ଏବଂ ବଡ଼ ନଦୀ ଶଯ୍ୟାରୁ ବ୍ୟାପକ ଅବୈଧ ଲଘୁ ଖଣିଜ ଲୁଟ ହେଉଥିବାରୁ ବିପୁଳ ରାଜସ୍ୱ ହରାଉଥିବା ସୂଚନା ଦେଇଛନ୍ତି । ଚଢ଼ାଉ ସମୟରେ କୋଟି କୋଟି ଟଙ୍କା ନଗଦ ଟଙ୍କା, ଦାମୀ ବେନାମୀ ଯାନବାହନ ଏବଂ ଏହି ଦୁର୍ବୃତ୍ତମାନଙ୍କ ଦ୍ୱାରା ସମ୍ପାଦିତ ଅସ୍ଥାବର ସମ୍ପତ୍ତି, ଚୁକ୍ତିନାମା ଏବଂ ଖଣି ଲିଜ୍ ସମ୍ପର୍କିତ କାଗଜପତ୍ର ଜବତ କରାଯାଇଛି । ତଲାସୀ ଅଭିଯାନ ଜାରି ରହିଛି । ଆଜି ମଧ୍ୟ ରେଡ ଜାରି ରହିବ ବୋଲି ଜଣାପଡିଛି । ଚଢ଼ାଉ ସରିବା ପରେ ଜବତ ସଂପତ୍ତିର ବିବରଣୀ ଜଣାପଡିବ । ରାଜ୍ୟରେ ଅବୈଧ ଖଣି କାରବାର ମାମଲାରେ ଇଡି  ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି ।