କନକ ବ୍ୟୁରୋ : ଓଡ଼ିଶାର ଏକମାତ୍ର ସୁରକ୍ଷିତ ଆଶ୍ରୟ କେନ୍ଦ୍ର ବା ପ୍ଲେସ୍‌ ଅଫ୍‌ ସେଫ୍‌ଟି ଏବେ ଅସୁରକ୍ଷିତ । ଏଠାରେ ଥିବା ଅନ୍ତେବାସୀଙ୍କ କାରନାମା ଯୋଗୁଁ ଚର୍ଚ୍ଚାରେ ଏହି କେନ୍ଦ୍ର । ଅନ୍ତେବାସୀ କେତେବେଳେ କାହାର ବେକ, ହାତ କାଟି ପକାଉଛନ୍ତି ତ ପୁଣି ଅନ୍ୟ କାହାକୁ ମରଣାନ୍ତକ ଆକ୍ରମଣ କରି ଘରୁ ଟଙ୍କା ଆଣିବାକୁ ବାଧ୍ୟ କରୁଛନ୍ତି ।

Advertisment

ଏବେ ଚର୍ଚ୍ଚାର କାରଣ ପାଲଟିଛି ରାଉରକେଲା ସ୍ଥିତ ଏକମାତ୍ର ସୁରକ୍ଷିତ ଆଶ୍ରୟ କେନ୍ଦ୍ର । ଅନ୍ତେବାସୀ ଗୀତ ବଜାଇ ନାଚୁଛନ୍ତି, ଆଉ ରିଲସ୍ ବି ବନାଉଛନ୍ତି । ଓଡ଼ିଶାର ୩୦ ଜିଲ୍ଲାରେ ସଂଘଟିତ ବିଭିନ୍ନ ଅପରାଧରେ ସମ୍ପୃକ୍ତ ହୋଇ ପ୍ରାୟ ୯୫ରୁ ଅଧିକ ଅନ୍ତେବାସୀ ଏଠାରେ ରହୁଛନ୍ତି । ସୁରକ୍ଷା ଦାୟିତ୍ୱରେ ପୁଲିସ ନୁହେଁ, ଗୃହରକ୍ଷୀ ରହିଛନ୍ତି । ସେମାନଙ୍କୁ ଅନ୍ତେବାସୀମାନେ ଆଦୌ ଖାତିର କରୁନାହାନ୍ତି । ଓଲଟା ଜୀବନରୁ ମାରିଦେବାକୁ ଧମକଚମକ ଦେଇଛନ୍ତି । ଗତ ତିନି ମାସରେ ମଧ୍ୟରେ ନିର୍ଯାତନା ସହି ନ ପାରି ଦୁଇ ଅନ୍ତେବାସୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ନିଶା ସେବନ କରିବାକୁ ଟଙ୍କା ନଦେବାରୁ ଜଣଙ୍କର ବେକ ଓ ହାତକୁ କାଟି ପକାଇଥିଲେ ।

ଅଧିକ ପଢ଼ନ୍ତୁ : ରଙ୍ଗିଲା ବାବାଙ୍କ କଳା କାରନାମା : ଢେଙ୍କାନାଳ କାମାକ୍ଷାନଗର ଥାନା ଅଞ୍ଚଳର ବାବାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଅନ୍ତେବାସୀ

ସୁରକ୍ଷା ବ୍ୟବସ୍ଥା କଡ଼ାକଡି ଥିବା ସତ୍ତ୍ୱେ ସେଲ୍‌ ଭିତରକୁ କିପରି ମୋବାଇଲ ଯାଉଛି, ଏଥିପାଇଁ କିଏ ଏମାନଙ୍କୁ ଅନୁମତି ଦେଉଛି, ତାହା ଏବେ ସନ୍ଦେହ ଘେରରେ । ଏପରିକି ଅନ୍ତେବାସୀ ରିଲସ୍ ବନାଇବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ଯୁବତୀ ବି ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି । କିଛି ମାସ ପୂର୍ବରୁ ଏପରି ଏକ ରିଲସ୍ ସୋସିଆଲ ମିଡିଆରେ ଛଡ଼ା ଯାଇଥିଲା, ପରେ ଡିଲିଟ୍‌ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା କହିଛନ୍ତି, ଅନ୍ତେବାସୀଙ୍କ ଫଟୋ ବାହାରକୁ ଆସିବା କଥା ନୁହେଁ । ପୂର୍ବରୁ ପାନପୋଷ ଉପଜିଲ୍ଲାପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଥିଲେ । କିଛି ଅନ୍ତେବାସୀଙ୍କ ମୋବାଇଲ ଜବତ ହୋଇଥିଲା। ହେଲେ ଅବସ୍ଥା କିଛି ସୁଧୁରୁ ନାହିଁ ।