କନକ ବ୍ୟୁରୋ : ଦୁଇ ଦିନ ତଳେ ଦେଶର ବିଭିନ୍ନ ସ୍ଥାନକୁ ଉଡ଼ାଇ ଦେବାକୁ ଆସିଥିଲା ଧମକ । ଆଜି ଓଡ଼ିଶାର ତିନି କୋର୍ଟକୁ ଆସିଛି ବୋମା ଧମକ । ମେଲ ଜରିଆରେ ଧମକ ଆସିବା ପରେ ତତ୍ପର ହୋଇଛି ପ୍ରଶାସନ । କୋର୍ଟ ପରିସରକୁ ଖାଲି କରିବା ସହ ବ୍ୟାପକ ଯାଞ୍ଚ କରାଯାଇଛି । ଅନ୍ୟପଟେ ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ସବୁ କୋର୍ଟକୁ କରାଯାଇଛି ଆଲର୍ଟ ।

Advertisment

କଟକ ଜିଲ୍ଲା କୋର୍ଟ, ସମ୍ବଲପୁର ଜିଲ୍ଲା କୋର୍ଟ, ଦେବଗଡ଼ ଜିଲ୍ଲା କୋର୍ଟ । ଏହି ତିନି କୋର୍ଟ ପରିସରରେ ବୋମା ଥିବା ନେଇ ମେଲ ଆସିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଅଘଟଣକୁ ଏଡ଼ାଇବା ପାଇଁ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲେ ସରକାର । ତତ୍ପର ହୋଇଥିଲା ଗୃହ ବିଭାଗ । କଟକର ଜିଲ୍ଲା କୋର୍ଟ ସମେତ ହାଇକୋର୍ଟକୁ ଖାଲି କରାଯାଇଥିଲା । ବିଚାରପତି, ଆଇନଜୀବୀଙ୍କ ସମେତ ସମସ୍ତ କର୍ମଚାରୀ ବାହାରକୁ ଚାଲି ଆସିଥିଲେ । ସନ୍ଧାନୀ କୁକୁର ସହାୟତାରେ ତନତନ କରି କୋର୍ଟ ପରିସରର ଯାଞ୍ଚ କରାଯାଇଥିଲା । ବୋମା ନିରୋଧୀ ଟିମ୍ ବି ବ୍ୟାପକ ଯାଞ୍ଚ କରିଛନ୍ତି । କୋର୍ଟ ପରିସରରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ୍ ଡିଜିପି । ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ବମ୍ ସ୍କ୍ୱାଡ ଯାଞ୍ଚ ପରେ ସ୍ୱାଭାବିକ ହେଲା କୋର୍ଟ କାର୍ଯ୍ୟ; ଆଇନ ମନ୍ତ୍ରୀ କହିଲେ, ମିଛ ବୋମା ଧମକ

ସମ୍ବଲପୁର କୋର୍ଟ ପରିସରରେ ମଧ୍ୟ ଡଗ୍ ସ୍କାର୍ଡ ଦ୍ୱାରା ଯାଞ୍ଚ କରାଯାଇଛି । ଉତ୍ତରାଞ୍ଚଳ ଆଇଜି ସମ୍ବଲପୁର କୋର୍ଟରେ ଅନୁଧ୍ୟାନ କରିଛନ୍ତି । ଦେବଗଡ଼ କୋର୍ଟ ପରିସରରେ କଡାକଡ଼ି ଯାଞ୍ଚ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । କେବଳ ଓଡ଼ିଶା ନୁହଁ ପୂର୍ବରୁ ଦେଶର ୭ରୁ ଅଧିକ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଆସିଥିଲା ଧମକ । ଉତ୍ତରପ୍ରଦେଶ ଓ କର୍ଣ୍ଣାଟକର ବିଭିନ୍ନ କୋର୍ଟ ଓ ରେଳ ଷ୍ଟେସନକୁ ମେଲ ଜରିଆରେ ମିଳିଥିଲା ଧମକ । ଆରଡିଏକ୍ସ ବୋମା ବିସ୍ଫୋରଣ ଦ୍ୱାରା ଉଡାଇ ଦେବାକୁ ଧମକ ଦେଇଥିଲା ଦୃବୃର୍ତ୍ତ । କିନ୍ତୁ ଯାଞ୍ଚ ସମୟରେ କୌଣସି ସନ୍ଦେହ ଜନକ ସାମଗ୍ରୀ ମିଳି ନାହିଁ । ମେଲ କେଉଁଠୁ ଆସିଛି ତାର ଯାଞ୍ଚ ଚାଲିଛି ।

ଇ-ମେଲ୍ ଯୋଗେ କୋର୍ଟକୁ ବୋମା ଧମକ ଆସିବା ଘଟଣା ନେଇ ପୁଲିସ୍ ଖୋଳତାଡ଼ ଜାରି ରଖିଛି । ପୁଲିସ କମିଶନର ଏସ୍‌ ଦେବଦତ୍ତ ସିଂହ କହିଛନ୍ତି, ଇମେଲ କେଉଁଠୁ ଆସିଚି, କିଏ ପଠାଇଛି, ଏନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି । କମିସନର ପୁଲିସର ସାଇବର ଟିମ୍ ଏବଂ କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଛି । ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ଆରମ୍ଭ ହୋଇଛି । ଆଗାମୀ ଦିନରେ ହାଇକୋର୍ଟ ସୁରକ୍ଷାକୁ ସୁଦୃଢ଼ ନେଇ ପଦକ୍ଷେପ ନିଆଯିବ । ଇମେଲ ଧମକ ପରେ କୋର୍ଟ ପରିସରରେ କଡ଼ାକଡ଼ି ଯାଞ୍ଚ କରାଯାଇଛି । କୋର୍ଟ ପକ୍ରିୟା ଆରମ୍ଭ ହୋଇଛି ।

ମେଲ୍‌ରେ କ’ଣ ଆସିଥିଲା ଧମକ ?

C- 4 RDXରେ ତିଆରି ୩ଟି RDX IED କୋର୍ଟରେ ରଖାଯାଇଛି
ମଧ୍ୟାହ୍ନଭୋଜନ ବେଳେ ଜଣେ କି ଦୁଇଜଣ କୋର୍ଟ ଶାଖାକୁ ଯିବେ
LTTE ସଦସ୍ୟ ରିମୋର୍ଟ ନିୟନ୍ତ୍ରିତ ଟ୍ରିଗର୍ ଧରି କୋର୍ଟରେ ପଶିବେ
IED ଆପେଆପେ ବିସ୍ଫୋରଣ ହେବ
କୌଣସି କାରଣରୁ ସକ୍ରିୟ ନହେଲେ, ସଦସ୍ୟ କୋର୍ଟରେ ପଶିବେ
ସମସ୍ତ କର୍ମଚାରୀ ଏବଂ ଅନ୍ୟମାନଙ୍କୁ ଉଡ଼ାଇଦେବେ
ଶ୍ରୀଲଙ୍କାର ଇଷ୍ଟର୍ ଅପରେସନ୍‌ ଭଳି ବିସ୍ଫୋରଣ କରାଯିବ
ବିସ୍ଫୋରଣ ପୂର୍ବରୁ ୨ଟା ୩୫ ସୁଦ୍ଧା କୋର୍ଟ ଛାଡ଼ନ୍ତୁ ବିଚାରପତି