କନକ ବ୍ୟୁରୋ : ବର୍ବରତାର ସୀମା ଟପୁଛି ମଣିଷ, ଆଉ ବଳି ପଡ଼ୁଛନ୍ତି ନୀରିହ ପଶୁ । ଅନୁଗୁଳରେ ହାତୀ ମୁହଁରେ ବୋମା ଫୁଟି ମୃତ୍ୟୁ ଘଟଣା ମନରୁ ନଲିଭୁଣୁ ପୁଣି କେନ୍ଦୁଝରରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଜଙ୍ଗଲୀ ପଶୁ ଶିକାର ପାଇଁ ଶିକାରୀ ଲଗାଇଥିବା ବୋମା ଫୁଟି ବାଛୁରୀଟିଏ ଗୁରୁତର ହୋଇଛି । କେନ୍ଦୁଝର ଘସିପୁରା ଥାନା ଅଞ୍ଚଳର ଏହି ଘଟଣା ଏବେ ଚର୍ଚାର କାରଣ ପାଲଟିଛି ।

Advertisment

ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବୋମା ଫୁଟି ଗୁରୁତର ହୋଇଛି ବାଛୁରୀ । ଗୁରୁତର ଅବସ୍ଥାରେ ଜୀବନ ସହ କରୁଛି ସଂଘର୍ଷ । ସବୁଦିନ ଭଳି ବାଛୁରୀଟି ଚରିବାକୁ ଘରୁ ବାହାରିଥିଲା । ଜଙ୍ଗଲିଆ ଅଞ୍ଚଳରେ ଚରି ଚରି ଯିବାବେଳେ ଖାଦ୍ୟ ଭାବି ମୁହଁ ମାରିବା ମାତ୍ରେ ପ୍ରଚଣ୍ଡ ଶବ୍ଦରେ ଫାଟିଥିଲା ବୋମା । ଏଥିରେ ବାଛୁରୀଟିର ମୁହଁରେ ଲାଗିଛି ଗଭୀର ଅଘାତ । କୁହାଯାଉଛି, ଜଙ୍ଗଲୀ ଜନ୍ତୁ ଶିକାର କରିବା ପାଇଁ ଶିକାରୀମାନେ ଖାଦ୍ୟ ଭିତରେ ବୋମା ଲୁଚାଇ ରଖିଥିଲେ । ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଶିକାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ହେଲେ ଜଙ୍ଗଲ ବିଭାଗ ନିଦ ଭାଙ୍ଗୁନି । ଗାଁଲୋକ ବି ଶିକାରୀଙ୍କ ଭୟରେ ମୁହଁ ଖୋଲୁନାହାନ୍ତି । ଏପରିକି ଗୁରୁତର ହୋଇପଡ଼ିଥିବା ବାଛୁରୀଟିର ଚିକିତ୍ସା ପାଇଁ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ ।

ଅଧିକ ପଢ଼ନ୍ତୁ : ରାଜଧାନୀରେ କଥା କଥାରେ ବୁଲୁଛି ଖଣ୍ଡା; କୋମାରେ ଅଛି କି କମିସନରେଟ୍ ପୁଲିସ ?

ଅନୁଗୁଳ ବନଖଣ୍ଡରେ ଜାନୁଆରି ୧୫ରେ ପାଟିରେ ବୋମା ଫୁଟି ହାତୀ ଗୁରୁତର ହୋଇଥିଲା । ଦୁଇ ଦିନ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଚିକିତ୍ସାଧିନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଥିଲା । ହେଲେ ଦୁଃଖର ବିଷୟ, ସେତେବେଳେ କିଏ ଏହି ବୋମା ଖଞ୍ଜିଥିଲା, ଏଯାଏଁ ନା ଧରାପଡ଼ିଲା, ନା କିଛି କାର୍ଯ୍ୟାନୁଷ୍ଠାନ ହେଲା ।

ରାଜ୍ୟରେ ବାରମ୍ବାର ଏପରି ଘଟଣା ଘଟୁଛି, ବାରମ୍ବାର ଶିକାରୀ ବୋମା ଖଞ୍ଜି ଚାଲିଯାଉଛନ୍ତି, ହେଲେ ବନବିଭାଗର ନଜର ନପଡ଼ିବା, ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଉଠାଇଛି ।