କନକ ବ୍ୟୁରୋ : ଆଧାର ତଥ୍ୟ ଚୋରି ଓ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୁଲିସ । ହେଲେ ତା’ ବିଷୟରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସମସ୍ତଙ୍କୁ ତାଜୁବ କରିଛି । ଆନ୍ଧ୍ରର ଯୁବକ ଓଡ଼ିଶାରେ ପଶି କେମିତି ସାଜିଥିଲା କୋଟିପତି, ତା’ର ଚେର ଖୋଜୁଛି ପୁଲିସ ।

Advertisment

ଡଉଲ ଡାଉଲ ବାବୁ ହେଉଛନ୍ତି ଆନ୍ଧ୍ରପ୍ରଦେଶ ମାଲାୟାପାଲେମ୍‌ର ସତ୍ୟନାରାୟଣ ସିଲା ଓରଫ୍‌ ଶିବା । ଆଧାର କାର୍ଡ ପ୍ରସ୍ତୁତକାରୀ କମ୍ପାନି ଆନ୍ଧ୍ରପ୍ରଦେଶର ବ୍ଲୁମ୍‌ ସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଶିବା ଥିଲା ଗଂଜାମ ସଂଯୋଜକ । ହେଲେ ପୂରା ରାଜ୍ୟର ବିଭିନ୍ନ ଆଧାର ଅପରେଟରଙ୍କୁ ଧମକାଇ ଶିବା ଠକି ନେଇଛି ଲକ୍ଷ ଲକ୍ଷ ଟଙ୍କା । ୪୫ ଲକ୍ଷ ଟଙ୍କା କମ୍ପାନିକୁ ନ ଦେବାରୁ ତଡ଼ା ଖାଇଥିବା ସତ୍ୟନାରାୟଣ ଶିଲାକୁ ଗିରଫ କରିଛି ବ୍ରହ୍ମପୁର ଟାଉନ୍‌ ପୁଲିସ ।

ଅଧିକ ପଢ଼ନ୍ତୁ : କିନ୍ନରକୁ ହତ୍ୟା ଘଟଣା; ଅଭିଯୁକ୍ତକୁ ଉତ୍ତରା ଛକରେ ଏନକାଉଣ୍ଟର

ରିମାଣ୍ଡରେ ଆସିପାରେ ସତ୍ୟନାରାୟଣ ସିଲା । କମ୍ପାନି ଟଙ୍କା ମାଗିବାରୁ ଅପରେଟରକୁ ଧମକାଇ ବିଭିନ୍ନ କମ୍ପ୍ୟୁଟରକୁ ନିଜ ନିୟନ୍ତ୍ରଣକୁ ଆଣିଥିଲା ଶିବା । ୟୁଆଇଡିଏଆଇ ସଫ୍ଟୱେରକୁ ହ୍ୟାକ୍‌ କରିବା ସହ ଇମେଲ୍‌ ପାସ୍‌ୱାର୍ଡ ନେଇ କମ୍ପାନିର ତଥ୍ୟ ଚୋରି ଉଦ୍ୟମ ବି କରିଥିଲା । ଏବେ ବି ଶିବା ନିୟନ୍ତ୍ରଣରେ ୫ରୁ ୧୦ଟି କମ୍ପ୍ୟୁଟର ଥିଲା ବେଳେ ସେଥିରେ ରହିଛି ଓଡ଼ିଆ ଲୋକଙ୍କ ଆଧାର ତଥ୍ୟ । ଯାହାକୁ ନେଇ ପୁଲିସ ଖୋଳତାଡ଼ କରୁଛି । ସେପଟେ ଅପରେଟରଙ୍କ ଟଙ୍କା କମ୍ପାନିକୁ ନ ଦେବାରୁ ଦିଗପହଣ୍ଡିରେ ଆଧାର ସେଣ୍ଟର ବନ୍ଦ ହୋଇ ଯାଇଥିବା ଅଭିଯୋଗ ହୋଇଛି ।

ଆନ୍ଧ୍ରରେ ଘର, ଓଡ଼ିଶାରେ ରାଜୁତି । ଠକ ଶିବାକୁ କିଏ ଦେଉଥିଲା ସାହସ ? ୪୫ ଲକ୍ଷ ଠକେଇ ଅଭିଯୋଗରେ ଗିରଫ ଶିବାକୁ ରିମାଣ୍ଡରେ ଆଣିଲେ ବହୁ ତଥ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି ।