କନକ ବ୍ୟୁରୋ: ଶିମିଳିପାଳରେ ଧରାପଡ଼ିଲା ଶିକାରୀ ଗ୍ୟାଙ୍ଗ । ଗ୍ୟାଙ୍ଗକୁ ଧରାଇଦେଲା ଏଆଇ କ୍ୟାମେରା । ଦେଶୀ ବନ୍ଧୁକ, ଫାଶ ଓ ଶୁଖିଲା ବଣୁଆ ମାଂସ ଜବତ କରିଛି ବନ ବିଭାଗ । ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ଏଆଇ ଯୁକ୍ତ ଇନଫ୍ରାରେଡ୍ କ୍ୟାମେରା ଓ ଟ୍ରାପ୍ କ୍ୟାମେରା ଲଗାଯିବା ପରେ ଶିକାରୀଙ୍କ ଗତିବିଧି ଉପରେ କଡ଼ା ନଜର ରହିଛି । ଏହି ଗୁଇନ୍ଦା କ୍ୟାମେରାର ସୂଚନା ଓ ଗୁଇନ୍ଦା ତଥ୍ୟ ଆଧାରରେ ଜେନାବିଲ ରେଞ୍ଜ ଅଧୀନ ଜଡ଼ିଦା ଗ୍ରାମରୁ ୫ ଜଣ କଟ୍ଟର ଶିକାରୀଙ୍କୁ ଗିରଫ କରିଛି ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ । ଶିକାରୀଙ୍କ ପିଛା କରି ବିଭାଗୀୟ ଟିମ୍ ଅଭିଯୁକ୍ତଙ୍କ ଘର ପଛପଟେ ଜଙ୍ଗଲରୁ ଗୋଟିଏ ଲୋଡ୍ ଥିବା ଦେଶୀ ବନ୍ଧୁକ, ୭ଟି ଫାଶ, ୨ଟି ଟର୍ଚ୍ଚ, ୫୩୫ ଗ୍ରାମ ଶୁଖିଲା ବଣୁଆ ମାଂସ, ବାରୁଦ ଗୁଣ୍ଡ ତିଆରି ପାଇଁ ବ୍ୟବହୃତ ପଲିଥିନ ସିଟ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଲୋଡ଼ ହୋଇଥିବା ଦେଶୀ ବନ୍ଧୁକଟିକୁ ନଳ ଦେଇ ପାଣି ଢାଳି ଅଣଲୋଡ଼ କରାଯାଇଥିଲା । ସେପଟେ ଗିରଫ ସମସ୍ତ ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି ।

Advertisment

ଶିମିଳିପାଳ ବାଘ ସଂରକ୍ଷିତ ଜଙ୍ଗଲରୁ ଦୁଇ ଶିକାରୀ ଗିରଫ : ଟ୍ରାପ୍ କ୍ୟାମେରା ସହାୟତାରେ ଧରାପଡ଼ିଲେ ଶିକାରୀ

ଗୋଟିଏ ପଟେ ଶିମିଳିପାଳ କଳା ବାଘକୁ ନେଇ ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ବେଳେ ଶିକାରୀଙ୍କ ଦୌରାତ୍ମ୍ୟ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ଉପରେ ବିପଦ ସୃଷ୍ଟି କରିଛନ୍ତି । ଫାଶ ବସାଇ ଜଙ୍ଗଲୀ ଜନ୍ତୁଙ୍କୁ ଶିକାର କରୁଛନ୍ତି ଏହି ଶିକାରୀ । ଯାହାକୁ ନେଇ ଜଙ୍ଗଲରୁ ଅତି ଦୁର୍ଲଭ ଜୀବ ଲୋପ ପାଇବାରେ ଲାଗିଛନ୍ତି । ପୂର୍ବରୁ ବାଘ ଶିକାର ହରିଣ ଶିକାର ନେଇ ଅନେକ ଖବର ଆସିଥିବା ବେଳେ ଏବେ ସତର୍କ ହୋଇଛି ବନବିଭାଗ । ଜଙ୍ଗଲୀ ଜନ୍ତୁଙ୍କୁ ବଞ୍ଚାଇବା ପାଇଁ ଭରପୁର ପ୍ରୟାସ କରୁଛି । ଏଆଇ କ୍ୟାମେରା, ଟ୍ରାପ୍ କ୍ୟାମେରା ଜରିଆରେ ଶିକାରୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ଯାହାର ସଫଳତା ଏବେ ଦେଖିବାକୁ ମିଳିଛି ।