ରାଜ୍ୟରେ ବଢ଼ିଚାଲିଛି ଅପରାଧ : କାମ ଦେଉନି ପୁଲିସ ବ୍ୟବସ୍ଥାରେ ସଂସ୍କାର କାର୍ଯ୍ୟକ୍ରମ, ଦିନକୁ ୪ ହତ୍ୟା, ୭ ଦୁଷ୍କର୍ମ

73

କନକ ବ୍ୟୁରୋ : ପ୍ରତିବର୍ଷ ଗୃହ ବିଭାଗ ପାଇଁ ବଜେଟ ଅର୍ଥ ବୃଦ୍ଧି, ପୁଲିସ ଆଧୁନିକୀକରଣ, ଜନସଚେତନତା ପାଇଁ ବିଭିନ୍ନ ସ୍ଲୋଗାନ୍ କିଛି ବି କାମ ଦେଉନି । ଅପରାଧ ନିୟନ୍ତ୍ରଣ ପାଇଁ ସରକାର ଯେତେ ପଦକ୍ଷେପ ନେଉଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି,ତାର ସାମାନ୍ୟତମ ପ୍ରଭାବ ପଡୁନାହିଁ । ଅପରାଧ ସଂଖ୍ୟା କମିବା ପରିବର୍ତ୍ତେ ଉଦ୍‌ବେଗଜନକ ଭାବେ ବଢ଼ୁଛି । ବିଧାନସଭାରେ ଉପସ୍ଥାପିତ ହୋଇଥିବା ଗୃହ ବିଭାଗ ସ୍ଥାୟୀ କମିଟି ରିପୋର୍ଟ କହୁଛି, ୨୦୧୮ ମସିହାରେ ରାଜ୍ୟରେ ୧ ଲକ୍ଷ ୭ ହଜାର ୪୦୮ଟି ଧର୍ତ୍ତବ୍ୟ ଅପରାଧ ଘଟିଛି । ଯେଉଁଥିରେ ୧୩୭୮ଟି ହତ୍ୟା, ୨୧୨୦ଟି ଦଙ୍ଗା ଓ ୨୫୦୨ଟି ଦୁଷ୍କର୍ମ ମାମଲା ସାମିଲ ଅଛି । ସବୁଠାରୁ ବଡ଼ କଥା ହେଉଛି, ହତ୍ୟା, ଡକାୟତି, ଦୁଷ୍କର୍ମ ମାମଲା ଯଥେଷ୍ଟ ବୃଦ୍ଧି ପାଇଛି । ପୁଲିସ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ରାଜ୍ୟରେ ଦଣ୍ଡ ବିଧାନ ହାର ମଧ୍ୟ କମ୍‌ ହେଉଛି ବୋଲି ଦର୍ଶାଇଛି ଗୃହ ବିଭାଗ ସ୍ଥାୟୀ କମିଟି ।

ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ଗୃହ ବିଭାଗ ସ୍ଥାୟୀ କମିଟି ରିପୋର୍ଟ ଦର୍ଶାଇଛି, ୨୦୧୭ରେ ମୋଟ ୧ ଲକ୍ଷ ୩ ହଜାର ୮୬୬ଟି ଧର୍ତ୍ତବ୍ୟ ଅପରାଧ ମାମଲା ଦାୟର ହୋଇଥିଲା । ସେବର୍ଷ ୧୨୬୭ଟି ହତ୍ୟାକାଣ୍ଡ ଘଟିଥିବାବେଳେ ୨୦୧୮ରେ ଏହି ସଂଖ୍ୟା ବଢ଼ି ୧୩୭୮ ହୋଇଛି । ସେହିପରି ୨୦୧୭ରେ ୫୩୪ଟି ଡକାୟତି ହୋଇଥିବାବେଳେ ୨୦୧୮ରେ ଏହା ବଢ଼ି ୫୫୮ରେ ପହଞ୍ଚିଛି ।

୨୦୧୭ରେ ୨୨୨୧ ଜଣ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ୨୦୧୮ରେ ୨୫୦୨ଟି ଦୁଷ୍କର୍ମ ମାମଲା ଦରଜ ହୋଇଛି । ଅର୍ଥାତ୍ ସେବେ ଦୈନିକ ୬ଜଣ ଦୁଷ୍କର୍ମର ଶିକାରହେଉଥିଲେ, ୨୦୧୮ରେ ଏହା ୭କୁ ବୃଦ୍ଧି ପାଇଛି । ସେହିପରି ୨୦୧୭ରେ ୨୦୪୮ଟି ଚୋରି ହୋଇଥିବାବେଳେ ୨୦୧୮ରେ ଏହି ସଂଖ୍ୟା ବଢି ୨୧୨ ଛୁଇଁଛି । ମୋଟର ଦୁର୍ଘଟଣା ହାର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମଟର ଦୁର୍ଘଟଣା ରୋକିବାକୁ ସରକାର ଆଧୁନିକ ଟ୍ରାଫିକ ପରିଚାଳନା ବ୍ୟବସ୍ଥା, ବ୍ଲାକ୍‌ସ୍ପଟ୍ ଚିହ୍ନଟ, ଇଣ୍ଟରସେପ୍ଟର ଯନ୍ତ୍ର, ଜନସଚେତନତା ପର‌୍ୟ୍ୟନ୍ତ ଯେତେ ଯାହା କଲେ ବି ବେପରୁଆ ଗାଡ଼ିଚାଳନା ଥମିବାର ନାଁ ନେଉନି । ୨୦୧୭ରେ ୧୦ ହଜାର ୮୫୫ଟି ରାସ୍ତା ଦୁର୍ଘଟଣା ଘଟିଥିଲା । ୨୦୧୮ରେ ଏହି ସଂଖ୍ୟା ୧୧ ହଜାର ୨୬୨ ଛୁଇଁଛି ।

ଅନ୍ୟପକ୍ଷରେ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ହାର କମ୍ ରହିଥିବା ନଜରକୁ ଆସିଛି । ଗତବର୍ଷ ମୋଟ ଦରଜ ହୋଇଥିବା ହତ୍ୟାକାଣ୍ଡ ମଧ୍ୟରୁ ମାତ୍ର ୬୪୫ଟିରେ ଚାର୍ଜସିଟ ଦାଖଲ କରିପାରିଛି ପୁଲିସ । ଏବେ ବି ମୋଟ ୨୯ ହଜାର ୧୨୯ଟି ବିଭିନ୍ନ ଆପରାଧିକ ମାମଲାରେ ତଦନ୍ତ ଚାଲୁ ରହିଛି । ପୁଲିସର ରେକର୍ଡ଼ କହୁଛି, ୨୦୧୯ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ୨୮ ହଜାର ୬୨୭ରେ ପହଞ୍ଚିଲାଣି । ଏଥିରୁ ଜଣାପଡ଼ୁଛି ପୁଲିସ ବ୍ୟବସ୍ଥାରେ ସରକାରଙ୍କ ସଂସ୍କାର କାର୍ଯ୍ୟକ୍ରମ ଅପରାଧ ନିୟନ୍ତ୍ରଣ କରିବାରେ ସଫଳତା ପାଉନି ।