ଟ୍ରାଫିକ ଉଲ୍ଲଂଘନକାରୀଙ୍କ ପଛରେ ପଡ଼ି ଅପରାଧ କଥା ଭୁଲି ଯାଇଛି କମିସନରେଟ୍ ପୁଲିସ : ଲୁଟ୍, ଡକାୟତି, ଗୁଳିକାଣ୍ଡରେ ଥରହର ରାଜଧାନୀ, ପୁଲିସ ପାଇଁ ଅପରାଧୀ ଏବେ ବି ଅପହଞ୍ଚ

113

କନକ ବ୍ୟୁରୋ : ରାଜଧାନୀରେ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ପଛରେ ପଡ଼ିଛି କମିସନରେଟ୍ ପୁଲିସ । ଅପରାଧ କଥା ଭୁଲି ଯାଇଛି । ପୁଲିସର ଏପରି ବେପରୱା କାର୍ଯ୍ୟକଳାପକୁ ଦେଖି ସହରରେ ଅପରାଧୀ ଅଧିକ ସକ୍ରିୟ ହୋଇ ପଡ଼ିଛନ୍ତି । ସହରରେ ଦିନକୁ ଦିନ ଅପରାଧ ବି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସଂଖ୍ୟାଧିକ ଲୁଟ୍, ଡକାୟତି, ଗୁଳିକାଣ୍ଡ ଘଟାଇ ଥରହର କରି ଦେଲେଣି ଅପରାଧୀ । ପରିସ୍ଥିତି ଏପରି ହୋଇଛି ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳ ଯେମିତି ଅପରାଧୀଙ୍କ କବଜାକୁ ଚାଲିଯାଇଛି । ବାରଙ୍ଗରେ ଗହଣା ଦୋକାନରୁ ଡକାୟତି, ଚନ୍ଦକା, ମେଣ୍ଢାଶାଳରେ ଅଳଙ୍କାର ଦୋକାନରୁ ଲୁଟ୍ ଓ ଆଜି ଜଣେ ଫ୍ୟାସନ ଡିଜାଇନ ଛାତ୍ରୀଙ୍କୁ ଗୁଳିମାଡ ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି କି ରାଜଧାନୀ ଏବେ ଦୁର୍ଦାନ୍ତ ଲୁଟେରାଙ୍କ କବ୍‌ଜାରେ ।

ବାରଙ୍ଗ ଗୋଡିସାହିରେ ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ୍ ଘଟଣାକୁ ୨୪ ଘଣ୍ଟା ବିତି ଗଲାଣି । କିନ୍ତୁ ଅପରାଧୀଙ୍କ ଟେର୍ ପାଇପାରି ନାହିଁ କମିସନରେଟ୍ ପୁଲିସ। ବାରଙ୍ଗ ଥାନା ପୁଲିସ ଗହଣା ଦୋକାନରେ ପହଞ୍ଚି ଅଳଙ୍କାର ପରିମାଣ ଯାଞ୍ଚ କରିଛି । ଗତକାଲିର ଘଟଣା ସମ୍ପର୍କରେ ଦୋକାନୀ ଓ ଘର ମାଲିକଙ୍କୁ ପଚରାଉଚରା କରିଛି । ଡକାୟତି କରିବାକୁ ଆସିଥିବା ୬ ଜଣଙ୍କ ଭିତରୁ ୨ ଜଣଙ୍କ ହାତରେ ବନ୍ଧୁକ ଓ ୨ ଜଣଙ୍କ ହାତରେ ଚାପଡ଼ ରହିଥିବା ସେମାନେ ପୁଲିସକୁ କହିଛନ୍ତି । ପୂରା ଅଞ୍ଚଳକୁ କବଜାକୁ ନେଇ ଯାଇଥିଲେ ଦୁର୍ବୃତ୍ତ। ଘର ମାଲିକଙ୍କ ପୁଅ ବାହାରକୁ ଆସିବା ପରେ ତାଙ୍କ ମୁଣ୍ଡରେ ବି ବନ୍ଧୁକ ଲଗାଇ ଦେଇଥିଲେ ଦୁର୍ବୃତ୍ତ ।

ଫିଲ୍ମ ଷ୍ଟାଇଲରେ ଘଟାଇଥିଲେ ଅପରାଧ । ସେମାନେ ହିନ୍ଦୀ ଏବଂ ଓଡ଼ିଆରେ କଥାବାର୍ତ୍ତା କରୁଥିବାରୁ ଡକାୟତ ଅଣଓଡ଼ିଆ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ବିନା ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ତଦନ୍ତ କରି ଫେରି ଆସିଛି। ଗହଣା ଦୋକାନ ନିକଟରେ ଏକ ଘରେ ଲାଗିଥିବା ସିସିଟିଭି ହିଁ ଅଭିଯୁକ୍ତଙ୍କୁ ଧରାଇବ ବୋଲି ଆଶା ବାନ୍ଧିଛି ପୁଲିସ । ବାରଙ୍ଗ ଗୋଡିସାହି ବଜାରରୁ ଗହଣା ଦୋକାନ ଲୁଟ୍ ଘଟଣାକୁ କେଇ ଘଣ୍ଟା ନ ପୂରୁଣୁ ପୁଣି ମାତିଛନ୍ତି ଲୁଟେରା । ମେଣ୍ଢଶାଳ ଫାଣ୍ଡି ନିକଟରେ ଥିବା ବାସୁଦେବ ଗହଣା ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଦୋକାନର କବାଟ ତାଡି ସୁନା, କେଜିଏ ରୁପା ଓ ଟଙ୍କା ନେଇ ଯାଇଛନ୍ତି ।

ଗତକାଲି ସକାଳୁ ଦୋକାନ ମାଲିକ ଗଣେଶ କୁମାର ସାହୁ ଦୋକାନ ଖୋଲିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଲେ । ଏ ନେଇ ମେଣ୍ଢାଶାଳ ଫାଣ୍ଡିକୁ ଖବର ଦେବା ପରେ ଫାଣ୍ଡି ଅଧିକାରୀ ଅକ୍ଷୟ କୁମାର ନାୟକ ଘଟଣା ସ୍ଥଳକୁ ଯାଇ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ । ଫାଣ୍ଡି ନିକଟରେ ଦୋକାନ ଲୁଟି କମିସନରେଟ ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଲୁଟେରା ।

Comments are closed.