ରାଜ୍ୟରେ ଆଇନଶୃଙ୍ଖଳା ନେଇ ଶ୍ୱେତପତ୍ର ପରେ ଶାସକ-ବିରୋଧୀ ମୁହାଁମୁହିଁ : ବିରୋଧୀ କହିଲେ ତଥ୍ୟ ଲୁଚାଉଛନ୍ତି ସରକାର, ଖଣ୍ଡନ କଳା ବିଜେଡ଼ି

126

କନକ ବ୍ୟୁରୋ : ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗୃହ ବିଭାଗର ଶ୍ୱେତପତ୍ର ପରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ୨୦୧୮ ପାଇଁ ଗୃହ ବିଭାଗର ଶ୍ୱେତପତ୍ର ପ୍ରକାଶ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ସରକାର ତଥ୍ୟ ଲୁଚାଉଛନ୍ତି । ବିଧାନସଭାରେ ତୁଳନାତ୍ମକ ଚିତ୍ର ଦିଆଯାଇନାହିଁ । ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ରାଜ୍ୟରେ କେଉଁ ଘଟଣା ଘଟୁଛି ଲୋକାମାନେ ଜାଣିବା ଦରକାର ଓ ବିଧାୟକମାନେ ଜାଣିବା ଦରକାର । ହେଲେ ସରକାର ସମସ୍ତଙ୍କୁ ଅନ୍ଧାରରେ ରଖି ତଥ୍ୟ ଲୁଚାଇଛନ୍ତି ।

ଆଜିର ଦିନରେ ଦିନକୁ ୭ଟି ଦୁଷ୍କର୍ମ କେସ୍ ଦେଖିବାକୁ ମିଳୁଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଦୁଷ୍କର୍ମ ସଂଖ୍ୟା ବଢ଼ିଛି । ସରକାର ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ । ଶ୍ୱେତପତ୍ରରେ ମିଛ କହିଛନ୍ତି ସରକାର । ଦିନକୁ ଦିନ ରାଜ୍ୟରେ ଅରାଜକତା ବଢ଼ିବାରେ ଲାଗିଛି । ଆଇନ୍ ଶୃଙ୍ଖଳା ଧ୍ୱସ୍ତ ହୋଇଥିବା ବେଳେ ସରକାର ବିଧାନସଭାରେ ସବୁ ଠିକ ଅଛି ବୋଲି ଉତ୍ତର ଦେଇଛନ୍ତି । ତଥ୍ୟକୁ ଲୁଚାଇଛନ୍ତି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଇନରେ ସଂସ୍କାର ନାହିଁ । ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି । ମନଇଚ୍ଛା କାମ ଚାଲିଛି । ପୋଲିସକୁ ଗୋଡ଼ାଇ ଗୋଡ଼ାଇ ବାଡ଼ଉଛନ୍ତି ଲୋକେ । ଲୋକଙ୍କୁ ସୁରକ୍ଷା ଦେବା କଥା ଛାଡ଼, ନିଜକୁ ସୁରକ୍ଷା ଦେବାରେ ବିଫଳ ପୋଲିସ । ପୋଲିସ ନିଷ୍କ୍ରିୟ ପରି ପଡ଼ି ରହିଛି । କଟକରେ ବର୍ତ୍ତମାନ ସାଇକୋ କିଲର ଆତଙ୍କ ଖେଳାଉଛନ୍ତି । ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କର ଶାସନ ଉପରେ ଭରସା ନାହିଁ । ଆଇନକୁ ଭୟ ନାହିଁ । ଆଇନକୁ ହାତକୁ ନେଉଛନ୍ତି ଲୋକେ । ପରିସ୍ଥିତି ଅସମ୍ଭାଳ ହେଉଛି ।

ସେପଟେ ବିଜେଡି ଏହାକୁ ଖଣ୍ଡନ କରିଛି । ବିଜେଡି ନେତା ଶଶୀଭୂଷଣ ବେହେରା କହିଛନ୍ତି, ସରକାର କୌଣସି ତଥ୍ୟ ଲୁଚାଉନାହାନ୍ତି । ଜାତୀୟ ସ୍ତରରେ ତୁଳନାତ୍ମକ ଭାବେ ଆଇନଶୃଙ୍ଖଳା ପରିସ୍ଥିତିରେ ଅଧୋଗତି ହୋଇଛି । କୌଣସି କଥା ଲୁଚାଉନାହାନ୍ତଁ ଶାସକ ଦଳ । ଯାହା ସତ ତାହା ଶ୍ୱେତପତ୍ରରେ ପ୍ରକାଶ କରାଯାଇଛି । କେବଳ ରାଜ୍ୟରେ ନୁହେଁ ଜାତୀୟ ସ୍ତରରେ ତୁଳନାତ୍ମକ ଭାବେ ଆଇନଶୃଙ୍ଖଳା ପରିସ୍ଥିତିରେ ଅଧୋଗତି ହୋଇଛି । ଜନସଂଖ୍ୟା ବଢ଼ିବା ସହ ଅପରାଧ ମଧ୍ୟ ବଢ଼ିବାରେ ଲାଗିଛି । ରାଜ୍ୟ ସରକାର ଏହାର ନିରାକରଣ ଦିଗରେ ସଦାସର୍ବଦା ତତପର ଅଛନ୍ତି ।