ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଇଂରାଜୀ ଅଧ୍ୟାପକଙ୍କ ଅପରାଧ ନକ୍ସା ପର୍ଦ୍ଦାଫାସ ! କ୍ରାଇମବ୍ରାଂଚ କହିଲା, ଏକୁଟିଆ ପୁଞ୍ଜିଲାଲ ମେହେର ହିଁ କରିଥିଲେ ହତ୍ୟା ଷଡଯନ୍ତ୍ର

40

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସ୍ଥାନୀୟ କଲେଜର ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେରଙ୍କ ଅପରାଧର ନକ୍ସା ସାମ୍ନାକୁ ଆସିଛି । ପୋଲିସ ଏହି ସୁଚିନ୍ତିତ ହତ୍ୟା ଘଟଣାର ପର୍ଦ୍ଦାଫାସ କରି କହିଛି, ପୁଂଜିଲାଲ ଏକୁଟିଆ ଏହି ମର୍ଡର ପ୍ଲଟ୍ ତିଆରି କରିଥିଲା । ବୋମା ତିଆରି ଠାରୁ ଆରମ୍ଭ କରି ଏହାକୁ ପରୀକ୍ଷା କରିବା ଓ ଶେଷରେ ଟ୍ରେନରେ ରାୟପୁର ଯାଇ ସେଠାରୁ କୋରିୟରରେ ପଠାଇଥିଲେ ମୃତ୍ୟୁର ଗିଫ୍ଟ ପ୍ୟାକେଟ୍ । ୟୁ-ଟ୍ୟୁବରୁ ବୋମା ତିଆରିର ଭିଡିଓ ଦେଖି ଆବଶ୍ୟକ ସରଂଜାମ ପ୍ରସ୍ତୁତ କରିଥିଲେ ଏହି ଇଂରାଜୀ ଅଧ୍ୟାପକ ।

କଲେଜ ପିଲାଙ୍କୁ ଜ୍ଞାନ ବାଂଟୁଥିବା ପୁଞ୍ଜିଲାଲ୍ ମେହେର ହିଁ ପାର୍ସଲ ବୋମା ଜରିଆରେ ରଚିଥିଲା ମୃତ୍ୟୁର ଷଡଯନ୍ତ୍ର । ଘରେ ବସି ପ୍ରସ୍ତୁତ କରିଥିଲା ବୋମା । ୟୁଟ୍ୟୁଭରୁ ଭିଡିଓ ଦେଖି ଏକ ବଡ ଧରଣର ଅପରାଧକୁ ଚୂଡାନ୍ତ ରୂପ ଦେଇଥିଲା । ବୋମାକୁ ସଫଳତାର ସହ ଫୁଟାଇ ହତ୍ୟା କରିବା ପୂର୍ବରୁ ପୁଞ୍ଜିଲାଲ୍ ମେହେର ଏକାଧିକବାର ପରୀକ୍ଷା କରିଥିଲା । ଆଉ ଯେତେବେଳେ ନିଜର କୁତ୍ସିତ ମିଶନରେ ସଫଳ ହୋଇଯିବ ବୋଲି ବିଶ୍ୱାସ ଆସିଲା, ପ୍ରସ୍ତୁତ ହୋଇଥିଲା ମୃତ୍ୟୁର ଉପହାର ।

କ୍ରାଇମବ୍ରାଂଚ୍ ହାତରେ ଧରାପଡ଼ିବା ପରେ ସାମ୍ନାକୁ ଆସିଛି ଅପରାଧର ପୁରା ପ୍ଳଟ୍ । ପାର୍ସଲ ଧରି କଂଟାବାଞ୍ଜିରୁ ରାୟପୁର ଅଭିମୁଖେ ବାହାରିଥିଲା ପାର୍ସଲ ବୋମାର ଖଳନାୟକ । ମୁଣ୍ଡରେ ଟୋପି ଏବଂ ବ୍ଲାକ୍ ଜାକେଟ୍ ପିନ୍ଧି ସିସିଟିଭି କ୍ୟାମେରାଠାରୁ ଲୁଚି ଛପି ପହଂଚିଥିଲା ରାୟପୁର । ବଡ କଥା ହେଉଛି-ରାୟପୁର ଯିବା ପାଇଁ ପୁଞ୍ଜିଲାଲ୍ ଟିକେଟ ବି କରିନଥିଲା । ବିନା ଟିକେଟରେ ରାୟପୁର ଯାଇ ପାର୍ସଲ କରିବା ପରେ ବିନା ଟିକେଟରେ ପାଟଣାଗଡ଼ ଫେରିଥିଲା । କାହିଁକି ନା ଟିକେଟ କାଉଁଟରର ସିସିଟିଭିରେ ଚେହେରା ସାମ୍ନାକୁ ଆସିବାର ଥିଲା ବଡ ଭୟ ।

ରାୟପୁରରେ କୁରିୟର ସେଂଟରକୁ ନିଜେ ଯିବା ବଦଳରେ ରେଲୱେ ଷ୍ଟସନରୁ ଯାଇଥିବା ଅଟୋ ଡ୍ରାଇଭରକୁ କୁରିୟର ପାଇଁ ପଠାଇଥିଲା ପୁଞ୍ଜିଲାଲ୍ । ଗୋଟିଏ କୋରିୟରେ ପରିଚୟ ପତ୍ର ମାଗିବାରୁ ବାଧ୍ୟ ହୋଇ ଆଉ ଗୋଟିଏ କୁରିୟରରୁ ପାର୍ସଲ ପଠାଇଥିଲା ମୁଖ୍ୟ ଖଳନାୟକ । ଅପରାଧର ସବୁ ପ୍ରମାଣକୁ ନଷ୍ଟ କରିବା ପାଇଁ ରାୟପୁର ପିନ୍ଧିକି ଯାଇଥିବା କୋଟ୍ ଏବଂ ଟୋପିକୁ ପୋଡ଼ି ଦେଇଥିଲା । ହେଲେ ପାର୍ସଲ ରିସିଭ୍ କିନ୍ତୁ ଘରେ ଥିବା ଏକ ବହିଥାକରେ ରହିଯାଇଥିଲା । ଯାହା ପୁରା କାହାଣୀକୁ ଧରାପକାଇ ଦେଇଥିଲା ।

ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ଏସ୍ପିଙ୍କ ନିକଟକୁ ଆସିଥିବା ଚିଠି, ଘଟଣାର ମୋଡ଼କୁ ବଦଳାଇ ଦେଇଥିଲା । ଘଟଣାକୁ ପ୍ରେମର ରୁପ ଦେବା ପାଇଁ ପୁଞ୍ଜିଲାଲ୍ ଚେଷ୍ଟା କରିଥିବା ବେଳେ ହସ୍ତାକ୍ଷର କିନ୍ତୁ ହରଡ ଘଟଣାରେ ପକାଇ ଦେଇଥିଲା । କଲେଜ୍ ଅଧ୍ୟକ୍ଷ ପଦକୁ ନେଇ ଥିବା ଇର୍ଷା ଘଟାଇଥିଲା ପୁରା ଘଟଣା । ଯେଉଁଥିରେ ସୌମ୍ୟଶେଖର ଏବଂ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ରୀମା । ଆଉ ଦୁଇ ମାସ ପରେ ଘଟଣା ଉପରୁ ଉଠିଛି ପରଦା ।