ଫେରନ୍ତାଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ଚେତାବନୀ । ଶୃଙ୍ଖଳତି ଆଚରଣ କରିବା ସହ ୧୪ ଦିନ ତ୍ୟାଗ ସ୍ୱୀକାର କରନ୍ତୁ । ପ୍ରଶାସନର ଧୈର୍ଯ୍ୟକୁ ପରୀକ୍ଷା କରନ୍ତୁନି । କ୍ୱାରେଣ୍ଟିନ୍ ନିୟମ ଭାଙ୍ଗିଲେ ଖସିବାର କୌଣସି ବାଟ ନାହିଁ ।

562

କନକ ବ୍ୟୁରୋ : କ୍ୱାରେଂଟିନ ଗୃହରେ ବିଶୃଙ୍ଖଳା ଗ୍ରହଣୀୟ ନୁହେଁ । ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କୁ ଚରମ ଚେତାବନୀ ଶୁଣାଇଛନ୍ତି ସୁବ୍ରତ ବାଗଚୀ । ଗତକାଲି ଗଂଜାମରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା । କ୍ୱାରେଂଟିନ ଗୃହରେ ବାହାର ରାଜ୍ୟରୁ ଆସିଥିବା ଓଡିଆ ଖାଇବା ଫୋପାଡିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଆଜି ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ସଙ୍ଗରୋଧ ନିୟମ ନ ପାଳନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ବାହାରୁ ଫେରୁଥିବା ବ୍ୟକ୍ତିବିଶେଷ ଶୃଙ୍ଖଳିତ ଆଚରଣ କରନ୍ତୁ । ମହାମାରୀ ସଙ୍କଟ ମଧ୍ୟରେ ବାହାର ଫେରନ୍ତାଙ୍କୁ ଅନେକ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ । ଓଡ଼ିଶା ଫେରିବା ପୂର୍ବରୁ ସରକାରଙ୍କୁ ଜଣାଇବାକୁ ପଡ଼ିବ । କେବଳ ଏତିକି ନୁହେଁ ପଞ୍ଜୀକରଣ କରିବା ମଧ୍ୟ ବାଧ୍ୟତାମୂଳକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାହାରୁ ଫେରୁଥିବା ଓଡିଆଙ୍କୁ ଆଜି କ୍ୱାରେଣ୍ଟିନ୍ ନିୟମ ପାଳନ କରିବାକୁ ଆହ୍ୱାନ ଦେଇଥିବା ବେଳେ ଏହି କଥାକୁ ଦୋହରାଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର । ଓଡ଼ିଶା ଫେରୁଥିବା ଲୋକେ ପୂର୍ବରୁ ଅନେକ କଷ୍ଟ ସ୍ୱୀକାର କରିଥିବେ । ହୋଲ ଓଡ଼ିଶା ଫେରିବା ପରେ ଆଉ ୧୪ ଦିନର ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ । ବିଶୃଙ୍ଖଳା ସୃଷ୍ଟି କଲେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ । ଫେରିଥିବା ଲୋକଙ୍କ ପାଇଁ ରାଜ୍ୟର ବାକି ଲୋକଙ୍କ ମନରେ ସମବେଦନା ରହିବ ନାହିଁ । କରୋନାରେ ମୃତକଙ୍କ ସଂଖ୍ୟା ମଧ୍ୟରୁ ୬୩ ପ୍ରତିଶତ ବୃଦ୍ଧ ବ୍ୟକ୍ତି । ପ୍ରବାସୀ କ୍ୱାରେଣ୍ଟିନ୍ ଭାଙ୍ଗିଲେ ନିଜ ସମେତ ନିଜ ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସିଧାସଳଖ ବିପଦ ମୁହଁକୁ ଠେଲିଦେବା ପରି କଥା ହେବ ।

କେବଳ ଏତିକି ନୁହେଁ ଦିନ ରାତି ଏକ କରି କାମ କରୁଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ମଧ୍ୟ ଏମାନଙ୍କ ପ୍ରତି ସମବେଦନା ରହିବ ନାହିଁ । ତେବେ ପ୍ରବାସୀଙ୍କ ଉପରେ କଡ଼ା ସରକାର କଡ଼ା ନଜର ରଖିଛନ୍ତି ବୋଲି ସ୍ପଷ୍ଟ କରିଦେଇଛନ୍ତି ମୁଖ୍ୟ ମୁଖପାତ୍ର । କ୍ୱାରେଣ୍ଟିନ୍ ନିୟମ ଭାଙ୍ଗିରେ ତ୍ରାହି ମିଳିବ ନାହିଁ । ଓଡ଼ିଶା ବାହାରେ ହୁଏତ ଖସିଯିବାର ଅନେକ ବାଟ ଅଛି । ହେଲେ ସଙ୍ଗରୋଧ ନିୟମ ଭାଙ୍ଗି ଓଡ଼ିଶାରେ ଖସିବରା କୌଣସି ବାଟ ନାହିଁ । ପ୍ରଶାସନର ଧୈର୍ଯ୍ୟକୁ ଅଯଥାରେ ପରୀକ୍ଷା ନକରିବାକୁ ଚେତାଇ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ।