ଓଡିଆ ଯୁବକଙ୍କ ଦେହରେ କରୋନା ଭ୍ୟାକସିନର ପରୀକ୍ଷା : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରୋନା ଚିକିତ୍ସା ପାଇଁ କରାଯାଉଥିବା ଭ୍ୟାକସିନର ଟ୍ରାଏଲରେ ସାମିଲ ହେଲେ ଅଙ୍କନ ନାୟକ

4,238
କନକ ବ୍ୟୁରୋ : ଓଡିଆ ଯୁବକଙ୍କ ଦେହରେ କରୋନା ଭ୍ୟାକସିନର ପରୀକ୍ଷା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରୋନା ଚିକିତ୍ସା ପାଇଁ କରାଯାଉଥିବା ଭ୍ୟାକସିନର ଟ୍ରାଏଲରେ ଜଣେ ଓଡିଆ ଯୁବକ ସାମିଲ ହୋଇଛନ୍ତି । ଅଙ୍କନ ନାୟକ ନାମକ ଏହି ଯୁବକ ପେଷାରେ ଜଣେ ସଫ୍ଟଓୟାର ଇଞ୍ଜିନିୟର । ହେଲେ ସେ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଭ୍ୟାକସିନର ମଣିଷ ଦେହରେ ଟ୍ରାଏଲ ପାଇଁ ସ୍ୱେଛାସେବୀ ଭାବେ ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଚିହ୍ନିତ ହୋଇଥିବା ଜେନର ଇନଷ୍ଟିଚ୍ୟୁଟରେ ଗତ ଶନିବାର ଦିନ ତାଙ୍କ ଦେହରେ ଏହି ଭ୍ୟାକସିନର ଟ୍ରାଏଲ କରାଯାଇଛି । ତାଙ୍କର ସ୍କ୍ରିନିଂ କରାଯିବା ପରେ ଓ ରକ୍ତ ପରୀକ୍ଷା ପରେ ତାଙ୍କୁ ଟିକା ଦିଆଯାଇଛି । ଜଣେ ସୁସ୍ଥ ଥିବା ଲୋକ ଦେହରେ ଏହି ଭ୍ୟାକସିନ କିଭଳି କାମ କରୁଛି ତାହା ଏହି ପରୀକ୍ଷାରୁ ଜଣାପଡିବ । ଏହି ପର୍ଯ୍ୟାୟ ପ୍ରାୟ ୧୦ହଜାରରୁ ଅଧିକ ଲୋକଙ୍କ ଦେହରେ ଟ୍ରାଏଲ କରାଯାଇଛି ।
କରୋନା ଭୂତାଣୁର ଉପଚାର ପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ଉଦ୍ୟମ ଜାରି ରଖିଛନ୍ତି । ଏହି ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ୟୁନାଇଟେଡ୍ କିଙ୍ଗଡମର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହାର ଉପଚାର ପାଇଁ ଭ୍ୟାକସିନ ବାହାର କରିବାକୁ ଜାରି ରହିଛି ଉଦ୍ୟମ । ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଡ୍-୧୯ ଭ୍ୟାକସିନର ଏବେ ମଣିଷ ଉପରେ ପରୀକ୍ଷା ଜାରି ରହିଛି । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପ୍ରାୟ ଶେଷ ହୋଇଥିବାବେଳେ ବର୍ତମାନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପାଇଁ ସ୍ୱେଛାସେବୀମାନଙ୍କ ଉପରେ ପରୀକ୍ଷା କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୧ ହଜାର ଲୋକଙ୍କୁ ଟିକା ଦିଆଯାଇଥିଲା । ଏହା ସେମାନଙ୍କ ନିକଟରେ କେତେ ଫଳପ୍ରଦ ହୋଇଛି ତାହାର ଆକଳନ ଜାରି ରହିଛି ।
ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ପ୍ରାୟ ୧୦ ହଜାର ୨୬୦ ଜଣ ସ୍ୱେଛାସେବୀଙ୍କ ଉପରେ ପରୀକ୍ଷା କରାଯାଉଛି । ଏଥିପାଇଁ ଦେଶର କେତେକ ଅନୁଷ୍ଠାନ ସହ ବୁଝାମଣା ହୋଇଛି । ତେବେ ଏହି ପର୍ଯ୍ୟାୟରେ କିଛି ବୟସ୍କ ଓ ପିଲାଙ୍କୁ ସାମିଲ କରାଯାଇଛି । ଏଥିରେ ବିଭିନ୍ନ ବୟସ୍କର ଲୋକଙ୍କ ଉପରେ ଏହାର କଣ ପ୍ରଭାବ ପଡୁଛି ତାହା ଜଣାପଡିବ । ସେହିପରି ତୃତୀୟ ପର୍ଯ୍ୟାୟରେ ଏହି ଭ୍ୟାକସିନ ଏକ ବଡ ଜନସଂଖ୍ୟା ଉପରେ କଣ ପ୍ରଭାବ ପକାଉଛି ତାହାର ଟ୍ରାଏଲ କରାଯିବ ।