ରାଜ୍ୟରେ ଦିନକରେ ୧୪,୩୩୫ କରୋନା ପରୀକ୍ଷା । ପ୍ରତିଷ୍ଠା ହେବ ଆଉ ୬ ପରୀକ୍ଷାଗାର । ଦୈନିକ ୨୦ ହଜାନ ନମୁନା ପାଇଁ ଭିତ୍ତିଭୂମି ପ୍ରସ୍ତୁତ

203

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪ ହଜାର ୩୩୫ କୋଭିଡ ନମୁନା ପରୀକ୍ଷା ହୋଇଛି। ଯାହାକି ଏ ପର୍ଯ୍ୟନ୍ତ ସର୍ବାଧିକ। ରାଜ୍ୟରେ ଦୈନିକ ୨୦ ହଜାର ନମୁନା ପରୀକ୍ଷା ପାଇଁ ଭିତ୍ତିଭୂମି ରହିଥିବା ସରକାର କହିଥିବା ବେଳେ ଆଗକୁ ନମୁନା ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ତେବେ ରାଜ୍ୟରେ ଟେଷ୍ଟ୍ ପଜିଟିଭ୍ ରେଟ୍‌ ବା ଟିପିଆଇ ୬.୧୯ ପ୍ରତିଶତରେ ପହଞ୍ଚି ଯାଇଛି। ଏପରିକି ୧୬ଟି ନମୁନା‌ରୁ ରାଜ୍ୟରେ ଏବେ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ୧ଲକ୍ଷ ଜନସଂଖ୍ୟାରେ ରାଜ୍ୟରେ ୧୧୭୭ ଜଣଙ୍କ ନମୁନା ପରୀକ୍ଷା କରାଯାଉଛି।

ରାଜ୍ୟରେ ସ୍ବୀକୃତିପ୍ରାପ୍ତ କ୍ଲିନିକାଲ ପରୀକ୍ଷାଗାରଗୁଡ଼ିକରେ କୋଭିଡ୍ ପରୀକ୍ଷା କ୍ଷମତା ବୃଦ୍ଧି ପାଇଁ ମୁଖ୍ୟ ଶାସନ ଅସିତ ତ୍ରିପାଠୀ କହିଛନ୍ତି। ଆଜି ଭିଡିଓ କନଫରେନ୍‌ସିଂ ଜରିଆରେ ଜିଲ୍ଲାୱାରୀ ନମୁନା ପରୀକ୍ଷା ଦକ୍ଷତାର ସମୀକ୍ଷା କରିବା ଅବସରରେ ଶ୍ରୀ ତ୍ରିପାଠୀ ଏହି ନିର୍ଦେଶ ‌ଦେଇଛନ୍ତି। ରାଜ୍ୟରେ ଏବେ ଆରଟିପିସିଆର, ଟ୍ରୁନାଟ, ସିବିନାଟ୍‌ ଓ ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା କରାଯାଉଛି। ୧୪ଟି ଆର୍ଟିଫିସିଆଲ ପରୀକ୍ଷାଗାର କାର୍ଯ୍ୟ କରୁଥିବା ବେଳେ ସବୁ ଜିଲ୍ଲାରେ ଆଣ୍ଟିଜେନ୍ ପରୀକ୍ଷା ହୋଇପାରୁଛି। ଆଗକୁ ପୁରୀ, ଅନୁଗୁଳ, କଳାହାଣ୍ଡି, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଆଦି ସ୍ଥାନରେ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ। ରାଜ୍ୟରେ ଏବେ ଦୈନିକ ୨୦ ହଜାର ପରୀକ୍ଷା ନେଇ ଭିତ୍ତିଭୂମି ସୃଷ୍ଟି କରାଯାଇଥିବା ବେଳେ ଆବଶ୍ୟକତା ଅନୁସାରେ ପରୀକ୍ଷା କ୍ଷମତାକୁ ଆହୁରି ବଢ଼ାଯିବ। ଟେଷ୍ଟ, ଆଇସୋଲେଟ୍‌ ଓ ଟ୍ରିଟମେଣ୍ଟ କୋଭିଡ ପରିଚାଳନା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ଅଧିକ ସଂଖ୍ୟକ ନମୁନା ସଂଗ୍ରହ, ସମୟାନୁସାରେ ନମୁନା ପରୀକ୍ଷା, ରିଅଲ ଟାଇମ୍ ରିପୋର୍ଟିଂ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି। ସବୁ ପରୀକ୍ଷାର ଫଳାଫଳ ସିଧାସଳଖ ଆଇସିଏମ୍‌ଆର ପୋର୍ଟାଲରେ ଅପଲୋଡ୍‌ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଅପରପକ୍ଷରେ ପଞ୍ଜୀକୃତ ଘରୋଇ ହସ୍ପିଟାଲମାନଙ୍କୁ ଆଣ୍ଟିଜେନ୍ ପରୀକ୍ଷା ପାଇଁ ଅନୁମତି ଦେବା ଲାଗି ବୈଠକରେ ଆଲୋଚନା ହୋଇଥିଲା। ଏଥିପାଇଁ ଆବଶ୍ୟକ ବୈଷୟିକ ସୁବିଧା ସୃଷ୍ଟି କରି ଖୁବଶୀଘ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କୁ ଜଣାଇବା ପାଇଁ କୁହାଯାଇଛି।

ବୈଠକ‌ରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ ବୈଠକରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାସ୍ତରରୁ ମାଇକ୍ରୋ ବାଇଓଲୋଜିଷ୍ଟ, ସିଡିଏମ୍‌ଓ ଓ ବିଭିନ୍ନ ମେଡିକାଲ କଲେଜର ଅଧୀକ୍ଷକମାନେ ଭିଡିଓ କନଫରେନ୍‌ସିଂ ଜରିଆରେ ନିଜ ଜିଲ୍ଲାର କୋଭିଡ ପରୀକ୍ଷା ଓ ରିପୋର୍ଟିଂ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ।