କରୋନା ମୁକ୍ତ ବ୍ୟକ୍ତିଙ୍କ ଦୁଃଖଭରା କାହାଣୀ । ମହାମାରୀ କରୋନା ନେଇ ପାରିଲାନି ଜୀବନ । ହେଲେ ଏବେ ଯନ୍ତ୍ରଣା ଦେଉଛି ସାମାଜିକ ବାସନ୍ଦ

481

କନକ ବ୍ୟୁରୋ : ମହାମାରୀ କରୋନା ନେଇ ପାରିଲାନି ଜୀବନ। ଭାଗ୍ୟବଳରୁ ବର୍ତ୍ତିଗଲେ। ନୂଆ ଜୀବନ ପାଇଥିବା ଖୁସି ସେମାନଙ୍କୁ ଆତ୍ମହରା କରି ପକାଇଥିଲା। ଆତ୍ମୀୟସ୍ବଜନଙ୍କ ମେଳକୁ ଫେରି ଆସିବାର ଆନନ୍ଦ ସେମାନଙ୍କୁ ଏତେ ଅଧିର କରିଥିଲା ଯେ ଫେରିବାବେଳେ ଘର ପର୍ଯ୍ୟନ୍ତ ସେମାନଙ୍କ ଗୋଡ଼ ତଳେ ଲାଗିନଥିଲା। କିନ୍ତୁ ଘରେ ପହଞ୍ଚିବା ପରେ ପରିସ୍ଥିତି ଯାହା ହେଲା, ସେଥିରେ ସେମାନଙ୍କ ଗୋଡ଼ ତଳୁ ମାଟି ଖସିଯିବା ଭଳି ଲାଗିଲା। ପରିବାର ଲୋକଙ୍କୁ ବାଦ୍‌ ଦେଲେ ଅନ୍ୟ କେହି ସେମାନଙ୍କୁ ଆଡ଼ ଆଖିରେ ଚାହିଁଲେ ନାହିଁ। ପରୋକ୍ଷରେ ଏକ ଅଘୋଷିତ ସାମାଜିକ ବାସନ୍ଦ ଲାଗୁ ହୋଇଯାଇଥିଲା ସେମାନଙ୍କ ପାଇଁ।

ଆଜି ବି ସମସ୍ତେ ସେମାନଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ଫଳରେ କୋଭିଡ୍‌ ହସ୍ପିଟାଲ୍‌ରୁ ଫେରିବା ପରର ଜୀବନ ଦୁର୍ବିସହ ହୋଇପଡ଼ିଛି। କୋଭିଡ୍‌ ସିନା ମାରି ପାରିଲା ନାହିଁ, କିନ୍ତୁ ସବୁଦିନ ଅଭିଶପ୍ତ ଜୀବନ ଜିଇଁ ଜିଇଁ ମରିବାକୁ ଛାଡ଼ି ଦେଇଛି ସେମାନଙ୍କୁ। କରୋନାର ଅସଲ ଯନ୍ତ୍ରଣା ମିଳୁଛି ହସ୍ପିଟାଲରୁ ଫେରିବା ପରେ। ଏହା ହେଉଛି କୋଭିଡ୍‌ ହସ୍ପିଟାଲରୁ ଫେରିଥିବା କରୋନାମୁକ୍ତ ବ୍ୟକ୍ତିମାନଙ୍କ ଦୁଃଖଭରା କାହାଣୀ।

ଗତ ସପ୍ତାହରେ କୋଭିଡ୍‌ ହସ୍ପିଟାଲରୁ ବାରଙ୍ଗ ବ୍ଲକର ଜଣେ ବ୍ୟକ୍ତି ଫେରିଛନ୍ତି। ହସ୍ପିଟାଲରେ ୧୪ ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ସେ ଫେରିଛନ୍ତି। କିନ୍ତୁ ସୁସ୍ଥ ହୋଇ ଫେରିବାର ସୁଖ ତାଙ୍କ ଭାଗ୍ୟରେ ନାହିଁ ବୋଲି ବଡ଼ ଦୁଃଖରେ ସେ କହିଛନ୍ତି। ଏବେ ସେ ଜଣେ ଆଲୋଡ଼ା ମଣିଷ ହୋଇପଡ଼ିଛନ୍ତି ବୋଲି କହିଛନ୍ତି। ମୂଲ ମଜୁରି ମିଳୁନାହିଁ ଭିନ୍ନ କଥା, କିନ୍ତୁ ଲୋକେ ପାଖ ମାଡ଼ୁନଥିବା ଅଧିକ ବାଧୁଛି। ଏମିତିକି ପାଖ ପଡ଼ୋଶୀମାନେ ଦେଖିବା ମାତ୍ରେ ବାଟ ଭାଙ୍ଗି ପଳାଉଥିବାର ଦୃଶ୍ୟ ତାଙ୍କୁ ଖୁବ୍‌ ବାଧୁଛି ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ହସ୍ପିଟାଲରେ ମରି ଯାଇଥିଲେ ବରଂ ଭଲ ହୋଇଥାଆନ୍ତା, କିନ୍ତୁ ଏମିତି ବାସନ୍ଦ ହୋଇ ନିସଙ୍ଗ ଜୀବନ ବଞ୍ଚିବା କି ଲାଭ ବୋଲି ସେ ପ୍ରଶ୍ନ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ବ୍ୟକ୍ତି ଜଣକ ବାହାରକୁ ଯାଇନଥିଲେ ହେଁ କେମିତି କରୋନା ଆକ୍ରାନ୍ତ ହେ‌ଲେ, ସେ ଏବେ ବି ବୁଝି ପାରିନାହାନ୍ତି। ପ୍ରଥମେ ସାଧାରଣ ଥଣ୍ଡା ଓ ପରେ ଛାତିରେ ଯନ୍ତ୍ରଣା ହେଲା। ମୁଣ୍ଡ ବିନ୍ଧା କମିଲା ନାହିଁ। ଖବର ପାଇ ସ୍ଥାନୀୟ ସ୍ଥାସ୍ଥ୍ୟକର୍ମୀ ତାଙ୍କର ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ନେଲେ ଓ ତାଙ୍କୁ ହୋମ୍ କ୍ବାରାଣ୍ଟିନ୍‌ରେ ରହିବାକୁ କୁହାଗଲା। ଦିନେ ହଠାତ୍ ତାଙ୍କ ଘରେ ଆମ୍ବୁଲାନସ୍, ସ୍ବାସ୍ଥ୍ୟକର୍ମୀ ଓ ପୁଲିସ ପହଞ୍ଚିଲେ ଏବଂ ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ନେଇଗଲେ। ଭାଗ୍ୟବଳ ଯୋଗୁଁ ପାଖାପାଖି ୧୪ଦିନ ପରେ ସେ କରୋନା ମୁକ୍ତ ହୋଇ ଫେରିଲେ। ମାତ୍ର ଘରକୁ ଆସିବାପରେ ଏବେ ଏହି ଅଛୁଆଁ ଅବସ୍ଥା।

ସମାନ କଥା ଦୋହରାଇଛନ୍ତି ମଞ୍ଚେଶ୍ବର ଅଞ୍ଚଳର ଜଣେ ବ୍ୟବସାୟୀ। ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସେ ଗଞ୍ଜାମ ଯାଇଥିଲେ। ଫେରିବା ପରେ ତାଙ୍କୁ ଉତ୍ତରାସ୍ଥିତ ସଂଗରୋଧରେ ରହିବା ପାଇଁ କୁହା ଯାଇଥିଲା। ସେଠାରେ ସାତଦିନ ରହିଥିବାବେଳେ ହଠାତ୍ ତାଙ୍କୁ ‌କିମସ୍ କୋଭିଡ଼୍ ହସ୍ପିଟାଲ୍‌କୁ ନିଆଯାଇଥିଲା। ୧୧ଦିନ ପରେ ତାଙ୍କୁ ସୁସ୍ଥ ବୋଲି ଘୋଷଣା କରି ଘରକୁ ଫେରାଇ ଦିଆଯାଇଥିଲା। କରୋନା କବଳରୁ ବଞ୍ଚି ଯାଇଥିବାର ଖୁସିରେ ସେ ବିଭୋର ହୋଇପଡ଼ିଥିଲେ। ମାତ୍ର ଘରେ ପହଞ୍ଚିବା ପରେ କରୋନାର ଅସଲ ଯନ୍ତ୍ରଣା ସେ ଅନୁଭବ କରିଥିଲେ ବୋଲି କହିଛନ୍ତି। ହସ୍ପିଟାଲ୍‌ରେ ମିଳୁଥିବା ଉପଚାର ବରଂ ଭଲ ଥିଲା, କିନ୍ତୁ ନିଜ ଘର ଲୋକଙ୍କ ଛୁଆଁଛୁଇଁ ଭେଦଭାବ ତାଙ୍କୁ ବେଶ୍ ବାଧୁଛି। ଦୁଃଖର ସୀମା ଟପିଗଲା ଭଳି ଲାଗୁଛି। ନିଜ ଲୋକ ପାଖକୁ ଆସିବା ବନ୍ଦ କରିଦେଇଛନ୍ତି। ପଡ଼ିଶାଲୋକଙ୍କ କଥା ନ କହିଲେ ଭଲ। ଏବେ ସମସ୍ତେ ତାଙ୍କୁ ଏକ ଘୃଣା ଚକ୍ଷୁରେ ତାଙ୍କୁ ଦେଖୁଛନ୍ତି। ତେଣୁ ବ୍ୟବସାୟ ଠପ୍ ହୋଇଯାଇଛି। ଏମିତି ଆଉ କେତେ ଦିନ ଲାଗିବ ବୋଲି ସେ ଚିନ୍ତାରେ ପଡ଼ିଥିବା କହିଛନ୍ତି।