ଆସିଲା ୫ ହଜାର ଆଣ୍ଟିଜେନ୍ କିଟ୍ : ଭୁବନେଶ୍ୱର, କଟକ ଓ ଗଞ୍ଜାମରେ ଆରମ୍ଭ ହେବ ପରୀକ୍ଷା‌

200

କନକ ବ୍ୟୁରୋ : ଓଡ଼ିଶାରେ ପହଞ୍ଚିଲା ୫ହଜାର ଆଣ୍ଟିଜେନ୍ କିଟ୍। ଏହି କିଟ୍‌କୁ ଗଞ୍ଜାମ, କଟକ ଓ ଭୁବନେଶ୍ବରରେ ପରୀକ୍ଷା ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି। ନିକଟରେ ଆରଏମ୍‌ଆରସି ଭୁବନେଶ୍ବର ପକ୍ଷରୁ ୫ ହଜାର ଆଣ୍ଟିଜେନ୍ କିଟ୍ ଯୋଗାଇ ଦେବା ଲାଗି ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଛି । ଆଜି ଏହି କିଟ୍ ପହଞ୍ଚିବା ପରେ ଖୁବ୍‌ଶୀଘ୍ର ଏହି ୩ସ୍ଥାନରେ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ରାପିଡ୍ ଆଣ୍ଟିଜେନ୍‌ କିଟ୍‌କୁ ଆରଏମ୍‌ଆରସି ପକ୍ଷରୁ ଅନୁମୋଦନ ଦିଆଯାଇଛି। ଦେଶବ୍ୟାପୀ ଏହି ପରୀକ୍ଷା କରାଯିବ। ରାଜ୍ୟ ସରକାର ଦକ୍ଷିଣ କୋରିଆର ଏକ କମ୍ପାନିଠାରୁ ଏହି ଆଣ୍ଟିଜେନ୍ କିଟ୍‌ ଆଣିଛନ୍ତି। ଗଞ୍ଜାମରେ ୨୫୦୦, କଟକ ୨ହଜାର ଓ ଭୁବନେଶ୍ବରରେ ୫ଶହ କିଟ୍ ଜରିଆରେ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ନିକଟରେ କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବହୁ ସଂଖ୍ୟାରେ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଏହାସହ ରାଜଧାନୀର ଉଭୟ ସରକାରୀ ଓ ‌ଘରୋଇ ହସ୍ପିଟାଲରୁ ରୋଗୀଙ୍କ ସମେତ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ନଜରକୁ ଆସିଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଏହି ୩ଟି ସ୍ଥାନରେ ଆଣ୍ଟିଜେନ୍ କିଟ୍ ଜରିଆରେ ପରୀକ୍ଷା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।