କରୋନା ମୁକାବିଲା ପାଇଁ ଟ୍ୱିନ ସିଟିରେ ଦୁଇଟି କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ : କିମ୍ସରେ ୫୦୦ ଓ ଅଶ୍ୱନୀରେ ୧୫୦ ବେଡ୍ ହେଲା କାର୍ଯ୍ୟକ୍ଷମ

1,215

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଟୁଇନ ସିଟିରେ କାର୍ଯ୍ୟକ୍ଷମ ହେଲା ଦୁଇଟି କୋଭିଡ୍ ହସ୍ପିଟାଲ । କିମ୍ସରେ ୫୦୦ ଓ ଅଶ୍ୱନୀରେ ୧୫୦ ବେଡ୍ କାର୍ଯ୍ୟକ୍ଷମ ହୋଇଛି । କରୋନା ମୁକାବିଲା ପାଇଁ ପ୍ରଥମ ଥର ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଏଭଳି ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଏହି ଡାକ୍ତରଖାନାର ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ସହ କଥା ହୋଇ ସେମାନଙ୍କ ଭୂମିକାକୁ ପ୍ରଂଶସା କରିଛନ୍ତି । ଉଭୟ ହସପିଟାଲର ପରିଚାଳନା କମିଟିକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ନବୀନ ପଟ୍ଟନାୟକ । ମାତ୍ର ଏକସପ୍ତାହ ମଧ୍ୟରେ ଏହି ଦୁଇ ହସପିଟାଲରେ ଏହି ବେଡ କାର୍ଯ୍ୟକ୍ଷମ ହୋଇଛି । ଏଠାରେ ରୋଗୀଙ୍କୁ ମାଗଣା ଚିକିତ୍ସା ସହ ରହିବା ଓ ଖାଇବା ସୁବିଧା ଯୋଗାଇଦିଆଯିବ ।

ତାଲାବନ୍ଦ ନିୟମକୁ ପାଳନ କରିବା ସହ ନିୟମିତ ହାତ ଧୋଇବା ଓ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । କୁହାଯାଉଛି ଦେଶରେ ଏହା ସବୁଠାରୁ ବଡ କୋଭିଡ-୧୯ ହସ୍ପିଟାଲ । ସମ୍ପୂର୍ଣ୍ଣ ଭାବରେ କର୍ପୋରେଟ ଓ ଘରୋଇ ସଂସ୍ଥା ପକ୍ଷରୁ ଏଭଳି ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ବର୍ତମାନ ଏହି ହସ୍ପିଟାଲରେ କେବଳ କରୋନା ରୋଗୀଙ୍କୁ ଚିକିତ୍ସା କରାଯିବ । ସେପଟେ ସମ ହସ୍ପିଟାଲରେ ମଧ୍ୟ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ପ୍ରସ୍ତୁତି ଚାଲିଛି । କିମ୍ସ ଓ ଅଶ୍ୱନୀରେ ପ୍ରସ୍ତୁତ ହୋଇଥିବା ଏହି ହସ୍ପିଟାଲକୁ ଓଡିଶା ଖଣି ନିଗମ ସହାୟତା ଦେଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ସ ଓ ଅଶ୍ୱନୀ ହସ୍ପିଟାଲର ମ୍ୟାନେଜମେଂଟକୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଏଭଳି ସୁବିଧା ସହ ଆମେ ସାମାଜିକ ଦୂରତ୍ୱ ଏବଂ ହାତ ଧୋଇ ଏହି ମହାମାରୀଠାରୁ ବିଜୟ ପାଇପାରିବା । ଏବଂ ତାଲାବନ୍ଦକୁ ଠିକ ଭାବରେ ପାଳନ କରିବା ପାଇଁ ନବୀନ ଅନୁରୋଧ କରିଛନ୍ତି ।