କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ବାହାର ଫେରନ୍ତାଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ, ରାଜ୍ୟବାସୀ ସହଯୋଗ କଲେ ଇତିହାସ ରଚିବ ଓଡ଼ିଶା

339

କନକ ବ୍ୟୁରୋ : କରୋନା ମୁକାବିଲାପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛନ୍ତି । ରାଜ୍ୟରେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସାବଧାନ ରହିବାକୁ ପଡ଼ିବ । ୧୦ ଦିନ ତଳେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡ଼ରିବାର କିଛି ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡେଇ ପାରିବା । ହେଳା କଲେ ମହାବିପଦ ଆସିବ । ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ । ସତର୍କ ରହିଲେ ବିପଦକୁ ଏଡାଇପାରିବା ।

ବିଦେଶରୁ ଫେରୁଥିବା ଓଡ଼ିଅ ଭାଇଉଉଣୀଙ୍କ ଯତ୍ନ ନେବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗରୁ ଫେରୁଥିବା ବନ୍ଧୁମାନଙ୍କର ଠିକ୍ ଭାବରେ ଯତ୍ନ ନେବା । ସମସ୍ତେ ସହଯୋଗ କଲେ ଏଥର ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ ହୋଇପାରିବ । ରାଜ୍ୟରେ ବର୍ତମାନ କରୋନା ପଜିଟିଭ ମାନଙ୍କ ମଧ୍ୟରୁ କେବେଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦ । ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଆଗାମୀ କିଛି ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ନବୀନ ପଟ୍ଟନାୟକ ଭିଡିଓ ବାର୍ତା ମାଧ୍ୟମରେ କହିଛନ୍ତି ।   ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର ଗୁଜରାଟ ଓ ଦିଲ୍ଲୀ ଓ ତାମିଲନାଡ଼ୁ, କର୍ଣ୍ଣାଟକ ଆଦିରୁ ଲୋକ ଆସୁଛନ୍ତି । ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା ସହ ସମସ୍ତଙ୍କୁ କ୍ୱାରେନଟିନ ରଖିବାର ସରକାରଙ୍କୁ ସହାଯୋଗ କରିବା । ଏହା ଦ୍ୱାରା ସେମାନେ ସୁସ୍ଥ ରହିବା ଓ ପରିବାର ସୁସ୍ଥ ରହିବ ବୋଲି ନବୀନ କହିଛନ୍ତି ।

ବିପଦ ସମୟରେ ସମସ୍ତଙ୍କ ଆଗ ମା ଓ ମାତୃଭୂମି କଥା ମନେ ପଡ଼ିଥାଏ । ସେମାନେ ସମସ୍ତେ ଆମ ପିଲାଛୁଆ, ସମ୍ପର୍କୀୟ । ଆମ ନିଜର ଲୋକ । ସେମାନଙ୍କ ଦାୟିତ୍ୱ ନେବା ଆମ ଦାୟିତ୍ୱ । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କୁ ଆଡ଼େଇ ନଦେଇ ସାହାଯ୍ୟ କରିବା ଜରୁରୀ । ସେମାନେ ସୁସ୍ଥ ରହିଲେ ହିଁ ଗାଁ ପରିବାର ସୁସ୍ଥ ରହିବ ।

ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ଅଛି । ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବା, ତେବେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ।