ଆଗାମୀ ୧୫ ଦିନରୁ ୧ ମାସ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ । ପରୀକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରହିଛି ରାଜ୍ୟ । କରୋନା ନେଇ ସଚିବଙ୍କ ସହ ସମୀକ୍ଷା ପରେ କହିଲେ ମୁଖ୍ୟମନ୍ତ୍ରୀ

1,471

କନକ ବ୍ୟୁରୋ : କରୋନା ନେଇ ସଚିବଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଆଗାମୀ ୧୫ ଦିନରୁ ୧ ମାସ ଚ୍ୟାଲେଂଜ ସୃଷ୍ଟି କରିବ । ବିମାନ ଓ ରେଳ ଚାଲିବା ପରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ । ଏହି ସମୟରେ ଉପଯୁକ୍ତ ଢ଼ଙ୍ଗରେ ଅଜଣା ଭାଇରସ୍ ସହ ମୁକାବିଲା କରିବାକୁ ପଡ଼ିବ । ଦେଶର ପରୀକ୍ଷଣରେ ରାଜ୍ୟ ହେଉଛି ଅଗ୍ରଣୀ ରାଜ୍ୟ ।

ଦୁଇମାସର ଲକଡାଉନ ମଧ୍ୟରେ ସରକାର ଅନେକ ଉପଲବ୍ଧି ହାସଲ କରିଛନ୍ତି । ବୈଜ୍ଞାନିକ, ସାମାଜିକ, ପ୍ରଶାସନିକ ସ୍ତରରେ ଅନେକ ଶିକ୍ଷା ମିଳିଛି । ଏହାକୁ ଆଧାର କରି ଆଗକୁ ପୁନଃନିର୍ମାଣ କାର୍ଯ୍ୟ କରିବାକୁ ପଡ଼ିବ । ଫଳରେ ଅର୍ଥନୈତିକ, ଜୀବିକା କାର୍ଯ୍ୟକଳାପ ସ୍ୱାଭାବିକ ହୋଇପାରିବ । ସଙ୍ଗରୋଧ ପାଇଁ ଆଗକୁ ସାର୍ଟିଫିକେସନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମୋଟ୍ ୯୫ ପ୍ରତିଶତ କ୍ୱାରେଣ୍ଟିନ୍ ସେଣ୍ଟରରୁ ଆସିଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ଆପଣାଇଛନ୍ତି । କେବଳ ଏତିକି ନୁହେଁ ଆଇସିଏମଆର ସୁପାରିସକୁ ମଧ୍ୟରେ ଧ୍ୟାନରେ ରଖାଯାଇଛି । ପରୀକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରହିଛି ରାଜ୍ୟ । ସାମାଜିକ ଦୂରତା ସାମଜିକ ବହିଷ୍କାର ନୁହେଁ । ଆଗକୁ ସଚେତନତା ପାଇଁ ଆହୁରି ପଦକ୍ଷେପ ନିଆଯିବ ।