କପାଚାଷୀଙ୍କ ଉପରେ ସରକାରଙ୍କ ଶୁଭ ଦୃଷ୍ଟି : ଆଉ ହାତରେ ନୁହଁ, ମେସିନ ତୋଳିବ ଧଳାସୁନା

269

କନକ ବ୍ୟୁରୋ : ମଣିଷ ନୁହେଁ ମେସିନ ତୋଳିବ ଧଳା ସୁନା । ଲୋକଙ୍କ ଶ୍ରମ ଲାଘବ ସହିତ ଅଧିକ କାର୍ୟ୍ୟକ୍ଷମ କରିବ ଏହି ମେସିନ । ଯାହା ସମ୍ଭବ ହୋଇ ପାରିଛି ପ୍ରଶାସନର ସହଯୋଗରେ । ଏହା ନେଇ ଚାଷୀଙ୍କୁ ଯୋଗାଇଦିଆ ଯାଇଛି ୬୦ ରୁ ଉର୍ଦ୍ଧ କପା ତୋଳିବା ମେସିନ ।

ଧଳା ସୁନା ଅର୍ଥାତ୍ କପାକୁ ନେଇ ବେଶ ପରିଚିତ ରାୟଗଡା ଜିଲ୍ଲା । ଅନୁକୂଳ ପାଣିପାଗ ଯୋଗୁଁ ଜିଲ୍ଲାର ଅଧିକାଂଶ ଚାଷୀ କପା ଚାଷ କରିଥାନ୍ତି । ଚଳିତବର୍ଷ ଜିଲ୍ଲାର ଗୁଣୁପୁର, ପଦ୍ମପୁର, ଗୁଡାରି ବ୍ଲକର ୨୦ ହଜାର ହେକ୍ଟର ଜମିରେ କପା ଚାଷ ହୋଇଛି । ଏବେ କପା ତୋଳିବା ସମୟ, ହେଲେ ଶ୍ରମିକ ଅଭାବରୁ କପା ତୋଳିବାରେ ଚାଷୀ ବହୁ ଅସୁବିଧା ଭୋଗୁଥିଲେ । କିନ୍ତୁ ପ୍ରଶାସନର ପ୍ରୋତ୍ସାହନ ଯୋଗୁଁ କପା ତୋଳିବା ସହଜ ହୋଇଛି । ବିଲରୁ କପା ତୋଳିବା ପାଇଁ ପ୍ରଶାସନ ମେସିନ ଯୋଗାଇ ଦେଇଛି ।

ଇଣ୍ଡିଆନ ରେଲୱେ ଫାଇନାନ୍ସ କର୍ପୋରେସନ ତରଫରୁ ସିସିଆଇ ଜରିଆରେ ପ୍ରଥମ ପର୍ଯ୍ୟାୟରେ ୬୫ ଜଣ ଚାଷୀଙ୍କୁ ମାଗଣାରେ କପା ତୋଳିବା ମେସିନ ଦିଆଯାଇଛି । ସଂପୂର୍ଣ୍ଣ ଚାର୍ଜେବୁଲ ଓ ୧୨ ଭୋଲ୍ଟ ବେଟେରୀ ଦ୍ୱାରା ପରିଚାଳିତ ଏହି ମେସିନ । ଜଣେ ଚାଷୀ ମେସିନ ସାହାଯ୍ୟରେ ଦିନକୁ ୪୦ କିଲୋଗ୍ରାମ କପା ତୋଳି ପାରୁଛନ୍ତି । ଦିନକୁ ଗୋଟିଏ ମେସିନ ୮୦ କିଲୋଗ୍ରାମ କପା ତୋଳିବାର କ୍ଷମତା ରଖିଛି । ମେସିନ ଯୋଗେ କପା ତୋଳିବାରୁ ଚାଷୀ କମ ସମୟରେ ଅଧିକ କପା ତୋଳିବା ସହ ଶ୍ରମିକ ସମସ୍ୟାରୁ ମୁକ୍ତି ପାଇଛି ।

ରାୟଗଡାରେ ଉତ୍ପାଦିତ ଧଳା ସୁନା ବିକ୍ରୀକୁ ନେଇ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ଚଳିତ ବର୍ଷ ମଣ୍ଡି ତୁଳା ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଥିଲା । କଟନ କର୍ପୋରେସନ୍ ଅଫ ଇଣ୍ଡିଆ ମଣ୍ଡି ଖୋଲିବାରେ ବିଳମ୍ବ କରିବାରୁ ଚାଷୀ ଅଭାବୀ ବିକ୍ରୀର ଶିକାର ହୋଇଥିଲେ । ଏନେଇ କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ହେବା ପରେ ମଣ୍ଡି ଆରମ୍ଭ ହୋଇଥିଲା ।