ଅମ୍ଫାନକୁ ନେଇ ସତର୍କ ହେଉଛନ୍ତି ସମୁଦ୍ରକୂଳିଆ ଲୋକେ । ଝଡ ଆସିବା ଆଗରୁ ଛାତ ଉପରେ ଲୋକେ ପକାଉଛନ୍ତି ବାଲିବସ୍ତା ।  ଜଗତସିଂହପୁରରେ ମାଇକ ଯୋଗେ ଲୋକଙ୍କୁ ସଚେତନ କରୁଛି ପ୍ରଶାସନ । ସେପଟେ ପୁରୀ ସମୁଦ୍ର କୂଳରେ ଲାଗୁ ହୋଇଛି ୨ ନମ୍ବର ବିପଦ ସଙ୍କେତ ।

401

କନକ ବ୍ୟୁରୋ : ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ଆତଙ୍କିତ ହେଲେଣି ସମୁଦ୍ର କୂଳିଆ ବାସିନ୍ଦା । ବାତ୍ୟାକୁ ନେଇ ଲୋକେ ଆତଙ୍କିତ ହୋଇ ଏବେ ଠାରୁ ଆଜବେଷ୍ଟସ୍ ଛପର ଘର ଉପରେ ବାଲିବସ୍ତା ରଖିବା ଆରମ୍ଭ କରିଛନ୍ତି । ସମୁଦ୍ର କୂଳିଆ ଅଞ୍ଚଳରୁ ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତର କରୁଥିବା ବେଳେ ଲୋକେ ଏବେ ଠାରୁ ସଜାଗ ହେଉଥିବା ଦେଖିବାକୁ ମିଳିଛି । ବାତ୍ୟାକୁ ନେଇ ଛଣ ଛପର ଓ ଝୁପୁଡି ଘରେ ରହୁଥିବା ଲୋକେ ଅଧିକ ଚିନ୍ତାରେ ପଡିଛନ୍ତି ।

ସେପଟେ ଅମ୍ପାନକୁ ନେଇ ଭୟଭୀତ କେନ୍ଦ୍ରାପଡ଼ା ରାଜକନିକା ବ୍ଲକର ନଦୀକୂଳିଆ ଗାଁର ଲୋକ । ଏହି ଅଂଚଳର ଲୋକମାନେ ବାତ୍ୟା ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ହେଲେ ଅମ୍ପାନ ଆସୁଥିବା ନେଇ ଲୋକମାନଙ୍କୁ ଏପର୍ଯ୍ୟନ୍ତ ସଚେତନ କରାଯାଇନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ । ବାତ୍ୟା ଆଶ୍ରୟସ୍ଥଳୀ ଭାଙ୍ଗି ଯାଇଛି । ସେଠାରେ ରହିବା ବିପଦପୁର୍ଣ୍ଣ । ଯାହା ପାଇଁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଯାଜପୁରରେ ଚାଷୀଙ୍କ ନିଦ ହଜେଇ ଦେଲାଣି ସାମୁଦ୍ରିକ ବାତ୍ୟା ଅମ୍ଫାନ । ସମ୍ଭାବ୍ୟ ବାତ୍ୟା ନେଇ ଏବେ ଆତଙ୍କରେ ଯାଜପୁର ଜିଲ୍ଲାର ଚାଷୀ । ଅମଳ ହୋଇ ଖଳାରେ ପଡି ରହିଛି ହଜାର ହଜାର କ୍ୱିଂଟାଲ ଧାନ । ବାତ୍ୟା ହେଲେ ଉଜୁଡି ଯିବ ଚାଷୀର ଭାତ ହାଣ୍ଡି । ପାଣିରେ ପଡିବ ଚାଷୀର ବର୍ଷକର ପରିଶ୍ରମ । ଚଳିତ ବର୍ଷ ଯାଜପୁର ଜିଲ୍ଲାର କୋରେଇ ବ୍ଲକର ରବି ଧାନ ଚାଷୀ । ଏଠାରେ ଧାନ ଅମଳ ସରିଛି , ହେଲେ ହଜାର ହଜାର କ୍ୱିଂଟାଲ ଧାନ ପଡିରହିଛି ଖଳାରେ । ଏବେ ବାତ୍ୟା ଦାଉରୁ କେମିତି ଧାନକୁ ସୁରକ୍ଷିତ ରଖିବା ତାକୁ ନେଇ ଚିନ୍ତାରେ ପଡିଲେଣି ଜିଲ୍ଲାର ଚାଷୀ । କାରଣ କେଉଁ ସ୍ଥାନରେ ବିଲ ମଝିରେ ତ ଆଉ କେଉଁଠି ଖଳାରେ ଗଦା ହୋଇ ପଡିରହିଛି କ୍ୱିଂଟାଲ କ୍ୱିଂଟାଲ ଧାନ ।

ସେପଟେ ଅମଲ ଧାନକୁ କେମିତି ସୁରକ୍ଷିତ ସ୍ଥାନକୁ ବୋହିନିଆଯିବ ସେ ନେଇ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛି ଚାଷୀ । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ୧୦ ହଜାର ୨୦୦ କ୍ୱିଂଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ୩୨ଟି ପେକ୍ସ ଜରିଆରେ ୫ ହଜାର ୫ ଜଣ ଚାଷୀ ପଂଜୀକୃତ ହୋଇଥିଲେ । ହେଲେ ୨୦ ତାରିଖ ବେଳକୁ ରାଜ୍ୟରେ ବାତ୍ୟା ସଂଭାବନା ଥିବାରୁ ଏହାକୁ ନେଇ ଯାଜପୁର ଜିଲ୍ଲାର କୋରେଇ ବ୍ଲକର ଧାନଚାଷୀଙ୍କ ମନରେ ଛନକା ପଶିଛି । ଏପରି ସ୍ଥିତିରେ ଧାନ କ୍ଷତିଗ୍ରସ୍ତ ହେଲେ କେମିତି ସୁଝିବେ ଋଣ, କେମିତି ଚଳିବେ ବର୍ଷ ଟିଏ ତାକୁ ନେଇ ଘାରିଛି ଚିନ୍ତା । ସରକାର ଏନେଇ କୌଣସି ପଦ କ୍ଷେପ ଗ୍ରହଣ ନକଲେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚାଷୀ ଧମକ ଦେଇଛନ୍ତି ।