ଶେଷ ପର୍ଯ୍ୟାୟରେ ଅକ୍ସଫୋର୍ଡର କରୋନା ଟିକା ପରୀକ୍ଷା । ଭାରତର ୫ଟି ସ୍ଥାନରେ ହେବ କରୋନା ଟିକାର ତୃତୀୟ ପର୍ଯ୍ୟାୟର ମାନବ ପରୀକ୍ଷଣ । ପ୍ରସ୍ତୁତି ନେଇ ବାଓ ଟେକନୋଲୋଜି ବିଭାଗର ସଚିବ ଦେଲେ ସୂଚନା

482

କନକ ବ୍ୟୁରୋ : ଅକ୍ସଫୋର୍ଡ ପ୍ରସ୍ତୁତ କରୋନା ଟିକାର ଶେଷ ତଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଭାରତରେ ହେବ । ଦେଶର ୫ଟି ସ୍ଥାନରେ ଅକ୍ସଫୋର୍ଡ ଟିକାର ମାନବୀୟ ପରୀକ୍ଷଣ କରାଯିବ । ବାୟୋଟେକ୍ନୋଲୋଜି ବିଭାଗର ସଚିବ ରେଣୁ ସ୍ୱରୁପ ଏହି ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି, ଏହା ଏକ ଜରୁରୀ ପଦକ୍ଷେପ । କାରଣ ଭାରତରେ ଏହି ଟିକା ବ୍ୟବହାର ହେବା ପୂର୍ବରୁ ଟିକା ବାବଦରେ ତଥ୍ୟ ରହିବା ଆବଶ୍ୟକ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷା ଦୃଷ୍ଟିରୁ କମ ଲୋକଙ୍କ ଦେହରେ ଟିକା ପରୀକ୍ଷା କରାଯାଇଥିଲା ।

ହେଲେ ଟିକାର ଉତ୍ସାହପ୍ରଦ ଫଳାଫଳ ମିଳିଥିବାରୁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟରେ ହଜାରରେ ଅଧିକ ଲୋକଙ୍କୁ ସାମିଲ କରାଯିବ ବୋଲି ସୂଚନା ମିଳିଛି । ଏହି ଟିକା ଅନ୍ତିମ ପର୍ଯ୍ୟାୟରେ ସଫଳ ହେଲେ ଟିକା ପ୍ରସ୍ତୁତ କରିବ ଭାରତର ସେରମ ଇନଷ୍ଟିଚ୍ୟୁଟ । ଟିକା ପ୍ରସ୍ତୁତ କରି ବଜାରରେ ଛାଡିବା ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ବାଛିଛନ୍ତି କରୋନା ଟିକା ବିକଶିତ କରିଥିବା ଅକ୍ସଫୋର୍ଡ ଓ ଏହାର ସହଯୋଗୀ ସଂସ୍ଥା ଆଷ୍ଟ୍ରା ଜେନେକା । ଅକ୍ସଫୋର୍ଡ ଟିକାର ମାନବୀୟ ପରୀ କ୍ଷଣର ଉତ୍ସାହପ୍ରଦ ଫଳାଫଳ ମିଳିଥିବା ନେଇ ଚଳିତ ମାସର ଆରମ୍ଭରେ ବିଭିନ୍ନ ମେଡିକାଲ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଥିଲା । ଅକ୍ସଫୋର୍ଡ ପ୍ରସ୍ତୁତ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଅପ୍ରେଲରୁ ମେ ମାସରେ କରାଯାଇଥିଲା ।

ଇଂଲଣ୍ଡର ୫ଟି ହସ୍ପିଟାଲରେ ୧୮ରୁ ୫୫ ବର୍ଷ ବୟସ୍କ ପ୍ରାୟ ୧ହଜାର ୭୭ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟର ଉତ୍ସାହପ୍ରଦ ଫଳାଫଳ ନେଇ ଦ ଲାନସେଟ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଥିଲା । ଟିକା ଦେବାର ୫୬ ଦିନ ଭିତରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଟି ସେଲ ନିର୍ମାଣ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଥିଲା ।