କରୋନା ମୁକାବିଲା ପାଇଁ ଆବଶ୍ୟକ ସାମାଜିକ ଦୂରତା : ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ଭିନ୍ନ ଚିତ୍ର, ଏକ ମିଟର ଦୂରତାରେ ଠିଆ ହୋଇ ଧାଡିରେ ସାମଗ୍ରୀ କିଣୁଛନ୍ତି ଲୋକେ

1,268

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା କରିବା ସହ ଏକାନ୍ତବାସ ନିତାନ୍ତ ଜରୁରୀ । ସାମାଜିକ ଦୂରତାର ଏପରି ଚିତ୍ର ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଛି, ଯାହା ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ଜନତାଙ୍କୁ ବାର୍ତ୍ତା ଦେବ । ରାସନ ସାମଗ୍ରୀ ପାଇଁ ଆପଣ କୌଣସି ମଲ୍ କିମ୍ବା ଦୋକାନକୁ ଯାଉଛନ୍ତି କି । ତେବେ ଏପରି ଭାବେ ରକ୍ଷା କରନ୍ତୁ ସାମାଜିକ ଦୂରତା ଯେପରି ଆପଣ ସାମଗ୍ରୀ କିଣିବା ସମୟରେ କାହା ସଂସ୍ପର୍ଶରେ ନଆସନ୍ତି । ସାମଗ୍ରୀ କିଣିବା ବେଳେ ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣେ ଠିଆ ହୋଇଥିବା ସମୟରେ ପରସ୍ପର ଠାରୁ ପ୍ରାୟ ୧ ମିଟର ଦୂରତା ରଖିଛନ୍ତି । ଆଉ ସେଥିପାଇଁ ଗୋଲେଇ ଗୋଲେଇ କରି ସ୍ଥାନ ଚିହ୍ନଟ କରାଯାଇଛି । ପ୍ରତ୍ୟକ ଲୋକ ମଧ୍ୟ ଏହାକୁ ପାଳନ କରୁଛନ୍ତି ।

କେନ୍ଦୁଝର , କାଲିମେଳା ଓ ରାଜଧାନୀ ଭୁବନେଶ୍ୱରର ଏପରି ଚିତ୍ର ଆଜି ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ନିଶ୍ଚୟ । ଦେଶରେ ୨୧ ଦିନିଆ ତାଲାବନ୍ଦ ଲାଗୁ ହେବା ପର ଠାରୁ ରାସନ ସାମଗ୍ରୀ ଓ ପନିପରିବା ଅତି ଦରକାରୀ ଜିନିଷ କିଣିନେବାକୁ ଲୋକଙ୍କ ମଧ୍ୟରେ ଏକ ପ୍ରତି ଯୋଗିତା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ସାମାଜିକ ଦୂରତା ରକ୍ଷା କରିବାର ଏହି ଚିତ୍ର ଜନତାଙ୍କୁ ବାର୍ତା ପ୍ରଦାନ କରିବ । ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରେରଣା ବି ଦେବ ।

ସେପଟେ ବଙ୍ଗାଲୁରୁର ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଦେଶରେ ତାଲାବନ୍ଦ ଲାଗୁ ହୋଇଥିବା ବେଳେ ମଲ ଗୁଡିକରେ ରାସନ ସାମଗ୍ରୀ କିଣିବାକୁ ଲୋକଙ୍କର ଲାଗୁଛି ଲମ୍ବା ଲାଇନ୍ । ଏହାକୁ ଦୃଷ୍ଟିରେ ରଖି ମଲ ଗୁଡିକରେ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କ ପାଇଁ ଠିଆ ହୋଇ ସାମଗ୍ରୀ ନେବାକୁ ଗାର ଟାଣି ଦିଆଯାଇଛି । ଗୋଲାକାର ଆକୃତିରେ ଗୋଟିଏ ଲେଖାଏଁ ମିଟର ଦୂରତାରେ ଗୋଲ୍ ଗୋଲ୍ କରି ମଲ୍ ବାହାରେ ସ୍ଥାନ ଚିହ୍ନଟ କରାଯାଇଛି । ତାରି ଭିତରେ ଠିଆ ହୋଇ ଜଣକ ପରେ ଜଣେ ମଲକୁ ପ୍ରବେଶ କରି ନେଉଛନ୍ତି ସାମଗ୍ରୀ ।