କରୋନା ମୁକାବିଲା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ : ଆଜିଠାରୁ ଅଧିକ କଡ଼ାକଡ଼ି ହେବ ଚେକିଂ, ଜିନିଷ କିଣିଲାବେଳେ ସଚେତନ ଓ ସତର୍କ ରହିବାକୁ ପରାମର୍ଶ

550

କନକ ବ୍ୟୁରୋ: କରୋନା ମୁକାବିଲା ନେଇ ବର୍ତ୍ତମାନ ସୁଦ୍ଧା ବଜାରକୁ ଆସିନାହିଁ କୌଣସି ନିର୍ଦ୍ଦିଷ୍ଟ ଔଷଧ । ଏପରି ସ୍ଥିତିରେ କରୋନାକୁ ପ୍ରତିହତ କରିବାକୁ ସଚେତନତା ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ଦିଆଯାଉଛି ଅଧିକ ଗୁରୁତ୍ୱ । ଏଥିପାଇଁ ଏବେ ଜରୁରୀ ସାମଗ୍ରୀ ଦୋକାନ ଗୁଡିକ ଆଗରେ ଦେଖିବାକୁ ମିଳିଛି ଚୂନ ଦାଗ ।

କୌଣସି ସାମଗ୍ରୀ କିଣିବାକୁ ହେଲେ ଆପଣଙ୍କୁ ଏହି ଚୂନ ଦାଗ ଦେଇ ଯିବାକୁ ହେବ । କାରଣ ଗୋଟିଏ ଚୂନ ଗୋଲେଇ ଦାଗରୁ ଅନ୍ୟ ଦାଗ ମଧ୍ୟରେ ଦୂରତା ରହିଛି ପ୍ରାୟ ୧ ମିଟର । ଅର୍ଥାତ୍ ଜିନିଷ କିଣିବା ସମୟରେ କେହି କାହାର ସଂସ୍ପର୍ଶରେ ଆସିବେ ନାହିଁ । ଫଳରେ ଭୂତାଣୁ ସଂକ୍ରମଣର ଭୟକୁ ଅନେକ ଅଂଶରେ ଏଡାଇ ହେବ । ଅନ୍ୟପଟେ ଏହା ଜରିଆରେ ସମାଜରେ କରୋନା ମୁକାବିଲା ପାଇଁ ବଡ ବାର୍ତ୍ତା ଦେବାକୁ ଉଦ୍ୟମ କରାଯାଇଛି ।

ସେପଟେ ୨୧ ଦିନର ତାଲାବନ୍ଦ ନିଷ୍ପତି ଭିତରେ କରୋନା ଭୂତାଣୁରୁ ବଂଚିବା ପାଇଁ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଦୋକାନକୁ ସଉଦା ଏବଂ ପନିପରିବା କିଣିବାକୁ ଆସୁଥିବା ଗ୍ରାହକଙ୍କ ପାଇଁ ରାସ୍ତା ଉପରେ ବକ୍ସ ଆକୃତିର ସ୍ଥାନ ତିଆରି କରାଯାଇଛି । ଗୋଟିଏରୁ ଆଉ ଗୋଟିଏ ସ୍ଥାନକୁ ୧ ରୁ ୨ ଫୁଟ ଦୂରତା ରହିଛି ।

ଫଳରେ ଜିନିଷ କିଣିବା ବେଳେ ଗ୍ରାହକ ଏକାସଙ୍ଗେ ଭିଡ ନକରି ପଛକୁ ପଛ ଧାଡିରେ ଏବଂ ନିର୍ଦ୍ଦିଷ୍ଟ ଦୂରତାରେ ଠିଆ ହୋଇପାରିବେ । ଫଳରେ ସଂକ୍ରମଣକୁ ଏଡାଇ ଦିଆଯାଇପାରିବ । ଲୋକଙ୍କୁ ପନିପରିବା, ସଉଦା, କ୍ଷୀର, ଫଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅନୁମତି ଦିଆଯାଇଥିବା ବେଳେ ଦୋକାନରେ ପ୍ରବଳ ଭିଡ ଲାଗୁଥିବା ଦେଖାଯାଇଥିଲା । ଫଳରେ ପୁରୀ ପ୍ରଶାସନ ଏଭଳି ନିଷ୍ପତି ନେଇଛି ।