ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ‘ସେଫ ହ୍ୟାଣ୍ଡସ ଚ୍ୟାଲେଞ୍ଜ’ : ଅଭିନେତ୍ରୀ ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ଟ୍ୱିଟରରେ ଟ୍ୟାଗ କଲେ ଡବ୍ଲୁଏଚଓ ନିର୍ଦ୍ଦେଶକ

391

କନକ ବ୍ୟୁରୋ : କୋଭିଡ-୧୯ ବା ନୋଭେଲ କରୋନା ଭାଇରସକୁ ବିଶ୍ୱବ୍ୟାପୀ ମହାମାରୀ ଘୋଷଣା କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ ଉତ୍ସବ ଠାରୁ ଆରମ୍ଭ କରି ସାକ୍ଷାତକାର ଓ ଫିଲ୍ମର ସୁଟିଂ ମଧ୍ୟ ବାତିଲ ହେଉଛି । ହେଲେ ବାରମ୍ବାର କୁହାଯାଉଛି ଭୟଭୀତ ହେବା ଅପେକ୍ଷା ଭାଇରସର ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିବା ଜରୁରୀ । ଆଉ ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ଡବ୍ଲୁଏଚଓ ଆରମ୍ଭ କରିଛନ୍ତି ‘ସେଫ ହ୍ୟାଣ୍ଡସ ଚ୍ୟାଲେଞ୍ଜ’ । ଡବ୍ଲୁଏଚଓର ନିର୍ଦ୍ଦେଶକ ଟ୍ୱିଟ କରି ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏହି ଚ୍ୟାଲେଞ୍ଜ ନେବା ପାଇଁ ଅନୁରୋଧ କରିଛନ୍ତି ।

ଟ୍ୱିଟରରେ ଲେଖିଛନ୍ତି ବିଶ୍ୱସ୍ତରୀୟ ପ୍ରତିଷ୍ଠିତ କଳାକାର ଏହି ସେଫ ହ୍ୟାଣ୍ଡସ ଚ୍ୟାଲେଞ୍ଜକୁ ଗ୍ରହଣ କରି ନିଜର ଭିଡିଓ ପୋଷ୍ଟ କରନ୍ତୁ ଓ ଅନ୍ୟ ତିନିଜଣଙ୍କୁ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବା ପାଇଁ ଅନୁରୋଧ କରନ୍ତୁ । ଆମେ ସମସ୍ତେ ମିଳିମିଶି ଏହି ମାରାତ୍ମକ ଭୂତାଣୁର ମୁକାବିଲା କରିପାରିବା । ସବୁଠାରୁ ବଡକଥା ହେଉଛି ବିଶ୍ୱସ୍ତରୀୟ ଅଭିନେତ୍ରୀ ଦୀପିକା ପାଦିକୋନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବା ପାଇଁ ଟ୍ୱିଟରରେ ଟ୍ୟାଗ କରିଛନ୍ତି ଡବ୍ଲୁଏଚଓର ନିର୍ଦ୍ଦେଶକ । ଲୋକଙ୍କ ପାଖରେ ସଚେତନତାର ବାର୍ତା ପହଂଚାଇବା ପାଇଁ ଅନେକ ବିଶ୍ୱସ୍ତରୀୟ କଳାକାରଙ୍କୁ ଏହି ସେଫ ହ୍ୟାଣ୍ଡସ ଚ୍ୟାଲେଞ୍ଜ ସହିତ ଯୋଡିବା ଆରମ୍ଭ କରିଛନ୍ତି ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ।

କରୋନା ଭୂତାଣୁ ସଂକ୍ରମଣରୁ କେମିତି ନିଜ ହାତକୁ ସଫା ରଖିବେ ।

ପ୍ରଥମେ ଦୁଇ ହାତକୁ ଭଲଭାବେ ରନିଂ ୱାଟର ବା ଚଳନ୍ତା ପାଣିରେ ଧୁଅନ୍ତୁ । ଅର୍ଥାତ ଟ୍ୟାପ ପାଣିରେ ସଫା କରନ୍ତୁ । ପ୍ରଚୁର ମାତ୍ରାରେ ସାବୁନ ନେଇ ଦୁଇ ହାତରେ ଭଲଭାବେ ବୋଳି ଦିଅନ୍ତୁ । ପାପୁଲିରେ ପାପୁଲି ମିଶାଇ ଭଲଭାବେ ରଗଡି ଦିଅନ୍ତୁ । ବାମ ପାପୁଲିର ଉପର ପଟ ଓ ଆଙ୍ଗୁଠି ସନ୍ଧିକୁ ଡାହାଣ ହାତର ପାପୁଲି ଓ ଆଙ୍ଗୁଠି ସାହାଯ୍ୟରେ ରଗଡି ରଗଡ଼ି ଧୁଅନ୍ତୁ । ଏବେ ଡାହାଣ ପାପୁଲିରେ ସମାନ କୌଶଳ ଆପଣାନ୍ତୁ । ପାପୁଲି ସହ ପାପୁଲି ଓ ଆଙ୍ଗୁଠି ସହ ଆଙ୍ଗୁଠି ମିଶାଇ ରଗଡନ୍ତୁ । ଦୁଇ ପାପୁଲିର ଆଙ୍ଗୁଠିକୁ ଅଧା ମୁଠା କରି ପରସ୍ପର ବିରୋଧରେ ରଗଡନ୍ତୁ । ଦୁଇ ହାତ ବୁଢା ଆଙ୍ଗୁଠିକୁ ଗୋଟିକ ପରେ ଗୋଟିଏ ରଗଡନ୍ତୁ । ଆଙ୍ଗୁଠିର ଅଗ୍ରଭାଗକୁ ପାପୁଲି ଉପରେ ରଖା ଭଲଭାବେ ରଗଡନ୍ତୁ । ଏବେ ପୁଣିଥରେ ଚଳନ୍ତା ପାଣିରେ ଦୁଇ ହାତର ସାବୁନକୁ ଭଲଭାବେ ସଫା କରିନିଅନ୍ତୁ । ଶୁଖିଲା ତଉଲିଆରେ ଦୁଇ ହାତକୁ ପୋଛି ସଫା କରନ୍ତୁ । ଏବଂ ସେହି ତଉଲିଆରେ ପାଣି ଟ୍ୟାପକୁ ବନ୍ଦ କରନ୍ତୁ ।