ବଢୁଛି କରୋନା ଭୟ : ଦିଲ୍ଲୀରେ ମାସ୍କ ପାଇଁ ଦୋକାନ ଆଗରେ ଲୋକଙ୍କ ଭିଡ, ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନଥିବାରୁ କଳାବଜାରୀ

321

କନକ ବ୍ୟୁରୋ : ଚାରିଆଡେ ଏବେ କରୋନା ଆତଙ୍କ । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଦିଲ୍ଲୀରେ ମାସ୍କ ବିକ୍ରୀ ବହୁ ପରିମାଣରେ ବଢିଛି । ମାସ୍କ କିଣିବା ଲାଗି ଲୋକେ ବିଭିନ୍ନ ସ୍ଥାନରେ ଭିଡ ଲଗାଇଛନ୍ତି । କିନ୍ତୁ ଅନେକ ସ୍ଥାନରେ ମାସ୍କ ମିଳୁନଥିବାବେଳେ କଳାବଜାରୀ ବି ଆରମ୍ଭ ହୋଇଛି । ଗୋଟିଏ ଗୋଟିଏ ମାସ୍କ ବଜାରରେ ୨ ଶହରୁ ୨୫୦ ଟଙ୍କାରେ ବିକ୍ରୀ ହେଉଛି । କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ପ୍ରସ୍ତୁତ ଥିବାବେଳେ ଅଧିକାଂଶ ସ୍ଥାନରେ ମାସ୍କ ମିଳୁନାହିଁ ।

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୩୧କୁ ବୃଦ୍ଧି ହୋଇଛି । ରାଜସ୍ଥାନର ଜୟପୁର ହୋଟେଲରେ ଇଟାଲିର ମହିଳା ପର୍ଯ୍ୟଟକଙ୍କ ରିପୋର୍ଟ ପଜିଟିଭି ଆସିବା ପରେ ଏହି ସଂଖ୍ୟା ୩୧କୁ ବୃଦ୍ଧି ହୋଇଛି । ଏହି ୩୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦିଲ୍ଲୀରେ ୧୦ ଜଣ ଓ ଗୁରୁଗ୍ରାମ ଡାକ୍ତରଖାନାରେ ୧୫ ଜଣ ଭର୍ତି ହୋଇଛନ୍ତି । ପୁରା ବିଶ୍ୱରେ ପ୍ରାୟ ୧ ଲକ୍ଷ ଲୋକ ଏହାର ଶିକାର ହେଲେଣି । ୩ ହଜାର ୨ ଶହ ୮୦ ଜଣଙ୍କ ମୃତ୍ୟୁ ହୋଇଛି । ଏହା ମଧ୍ୟରୁ କେବଳ ଚୀନରେ ୩ ହଜାର ୪୨ ଜଣଙ୍କ ମୃତ୍ୟୁ ହୋଇଛି ।

ସେପଟେ ବିଦେଶୀ ଶ୍ରଦ୍ଧାଳୁଙ୍କୁ ଆସନ୍ତା ୨ ମାସ ପାଇଁ ମଥୁରା ମନା । ବର୍ତମାନ ପାଇଁ ବିଦେଶୀ ଶ୍ରଦ୍ଧାଳୁଙ୍କୁ ମଥୁରାର ଇସ୍କନ ମନ୍ଦିର ନଆସିବାକୁ ଅନୁରୋଧ କରାଯାଇଛି । ଏନେଇ ମଥୁରା ଇସ୍କନ ମନ୍ଦିର କର୍ତୃପକ୍ଷ ଆଡଭାଇଜରି ଜାରି କରିଛନ୍ତି । ବିଦେଶୀ ନାଗରିକଙ୍କ ଠାରେ କରୋନା ଅଧିକ ପରିମାଣରେ ଠାବ ହେଉଛି । ବର୍ତମାନ ମଥୁରାରେ ଚାଲିଛି ଲାଠମାର୍ ହୋଲି ପର୍ବ ପାଳନ । ଏପରି ସମୟରେ ଶହ ଶହ ସଂଖ୍ୟାରେ ଲୋକଙ୍କ ସହିତ ବିଦେଶୀ ନାଗରିକ ମଧ୍ୟ ସାମିଲ ହୋଇଥାନ୍ତି । ତେଣୁ ଯଦି କୌଣସି ବିଦେଶୀ ନାଗରିକଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣ ଥିବା, ଏହା ସହଜରେ ଅନ୍ୟ ଲୋକଙ୍କୁ ସଂକ୍ରମିତ ହୋଇଯିବ । ତେଣୁ ଏହି ସଂକ୍ରମଣ ରୋକିବାକୁ ମଥୁରାରେ ଇସ୍କନ ମନ୍ଦିର କର୍ତୃପକ୍ଷ ବିଦେଶୀ ଶ୍ରଦ୍ଧାଳୁଙ୍କୁ ମନ୍ଦିର ନଆସିବାକୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ଭୁଟାନରେ ପ୍ରବେଶ କରିଛି କରୋନା ଭୂତାଣୁ । ଭୂଟାନରେ ଜଣେ ଆମେରିକୀୟ ପର୍ଯ୍ୟଟକଙ୍କ ଠାରେ କରୋନା ଠାବ ହୋଇଥିବା ଜଣାପଡିଛି । ଆଜି ତାଙ୍କର ସାମ୍ପଲ ପରୀକ୍ଷା ରିପୋର୍ଟ ଆସିବା ପରେ ଏହା ପଜିଟିଭ୍ ଥିବା ଜଣାପଡିଥିଲା । ଏଥି ସହିତ ଭୂଟାନରେ ଏହା ପ୍ରଥମ କରୋନା ସଂକ୍ରମଣ ବୋଲି ଭୂଟାନ ସରକାର ସ୍ପଷ୍ଟ କରିଛନ୍ତି । ଭୂଟାନରେ କରୋନା ଭୂତାଣୁ ଠାବ ହେବା ପରେ ପରେ ଏହାର ସୀମା ସିଲ୍ କରିଛି । ଆଗାମୀ ୨ ସପ୍ତାହ ପାଇଁ ଏହାର ସୀମା ସିଲ୍ କରାଯାଇଥିବା ସୂଚନା ଦେଇଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ ।