ଚୀନ୍‌ରେ କରୋନା ଆତଙ୍କ : ମୃତ୍ୟୁସଂଖ୍ୟା ୨୧୩କୁ ବୃଦ୍ଧି, ୧୭ ସହରରେ ଅଣାୟତ୍ତ ସ୍ଥିତି

130

କନକ ବ୍ୟୁରୋ : କରୋନା ଭାଇରସ୍‌ ଯୋଗୁଁ ଚୀନ୍‌ରେ ମୃତ୍ୟୁସଂଖ୍ୟା ୨୧୩କୁ ବୃଦ୍ଧି ପାଇଛି ଏବଂ ଦେଶର ସମସ୍ତ ଅଂଚଳକୁ ଏହା ବ୍ୟାପିଛି । କରୋନା ପ୍ରଭାବରୁ ତିବ୍ବତ ମଧ୍ୟ ବାଦ୍‌ ପଡ଼ିନାହିଁ । ଚୀନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯୬୮୨ରେ ପହଞ୍ଚିଛି ଏବଂ ଦୁଇ ଦିନ ମଧ୍ୟରେ ଏହା ୧୦ ହଜାର ଟପିଯିବ ବୋଲି ଆଶଙ୍କା କରାଯାଉଛି । ଚୀନ୍‌ର ହୁୱେଇ ପ୍ରଦେଶ ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏହି ପ୍ରଦେଶର ସମସ୍ତ ସହର ଅଚଳ ହୋଇଯାଇଛି । ଚୀନ୍‌ର ୧୭ ସହରରେ ଅଣାୟତ୍ତ ସ୍ଥିତି ଉପୁଜିଛି ।

ଚୀନ୍‌ ନାଗରିକଙ୍କୁ ବାଦଦେଲେ ପ୍ରାୟ ୭୫ ଜଣ ବିଦେଶୀ ନାଗରିକ ଭାଇରସ୍‌ ଆକ୍ରାନ୍ତ ଥିବା ଜଣାପଡ଼ିଛି । ବିଶ୍ବବ୍ୟାପୀ କରୋନା ଭାଇରସ୍‌ ନେଇ ଭୟ ବଢ଼ିଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଜି ସନ୍ଧ୍ୟାରେ ପୁଣିଥରେ ଏକ ଜରୁରୀ ବୈଠକ ଡକାଯାଇଛି । କରୋନାକୁ ବୈଶ୍ବିକ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରାଯିବା ସଂକ୍ରାନ୍ତରେ ଏହି ବୈଠକରେ ନିଷ୍ପତ୍ତି ହେବ ।

ଗୋଟିଏ ସପ୍ତାହରେ କରୋନା ଭାଇରସ୍‌ ପାଇଁ ଡବ୍ଲ୍ୟୁଏଚ୍ଓର ଏହା ତୃତୀୟ ବୈଠକ । ଆମେରିକା ତା’ର ନାଗରିକମାନଙ୍କୁ ଚୀନ୍‌ରୁ ଖାଲି କରାଉଥିବା ବେଳେ ଜାପାନ୍‌, ରୁଷ୍‌, ଭାରତ ସମେତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସମାନ ପଦକ୍ଷେପ ନେଉଛନ୍ତି। ରୁଷ୍‌ ଆଜି ଚୀନ୍‌ ସହ ତା’ର ୪୩୦୦ କିମି ସୀମାକୁ ବନ୍ଦ କରିଛି ।