କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪୯୦ରେ ପହଞ୍ଚିଲା : ଭୂତାଣୁର ବ୍ୟାପକତାକୁ ରୋକିବା ପାଇଁ ଏକାଠି ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁରୋପୀୟ ସଂଘ,ଚୀନ ଓ ଜି-୭ ରାଷ୍ଟ୍ର

180

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣର ବ୍ୟାପକତାକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁରୋପୀୟ ସଂଘ, ଚୀନ ସହ ମିଶି ଏକ ମିଳିତ କ୍ରିୟାନୁଷ୍ଠାନ ଯୋଜନା ଉପରେ କାମ କରିବା ଲାଗି ଜି-୭ ରାଷ୍ଟ୍ରଗୋଷ୍ଠୀ ଏକମତ ହୋଇଛନ୍ତି । ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ଆନ୍ତର୍ଜାତିକ ସ୍ତରରେ ଯେଉଁ ବିପଦ ସୃଷ୍ଟି ହୋଇଛି ତାର ମୁକାବିଲା ପାଇଁ ଅଲଗା ଅଲଗା ଭାବେ କାର୍ଯ୍ୟ କରିବା ସଫଳ ହେବ ନାହିଁ ବୋଲି ଶିଳ୍ପସମୃଦ୍ଧ ରାଷ୍ଟ୍ରଗୋଷ୍ଠୀର ସଦସ୍ୟମାନେ ସହମତ ହୋଇଛନ୍ତି ।

ଜର୍ମାନ, ବ୍ରିଟେନ, ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀମାନେ ଆଜି ଏକ ବୈଠକରେ ଏକାଠି ହୋଇ ଚୂଡାନ୍ତ ନିଷ୍ପତି ନେବାର ଅଛି । ବୈଠକରେ ଗସ୍ତ ନିୟନ୍ତ୍ରଣ, ଆଗୁଆ ସତର୍କତା ମୂଳକ ପଦକ୍ଷେପ ଏବଂ ଭୂତାଣୁ ସଂକ୍ରାନ୍ତୀୟ ଗବେଷଣା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । କରୋନା ଭୂତାଣୁରେ ଚୀନରେ ଏଯାଏଁ ୨୦ହଜାର୫୦୦ଲୋକ ସଂକ୍ରମିତ ହୋଇଥିବା ବେଳେ ଚୀନ ବାହାରେ ୧୯୨ ଜଣ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଚୀନରେ କରୋନା ଭୂତାଣୁ ସଂକ୍ରମିତ ମୃତ୍ୟୁ ସଂଖ୍ୟା ୪୯୦ରେ ପହଂଚିଛି । ଅନ୍ୟ ଦେଶଗୁଡିକରେ ୨ଜଣ ପ୍ରାଣ ହରାଇଛନ୍ତି ।

ସେପଟେ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚୀନ ସରକାର ହୁବେଇ ପ୍ରଦେଶ ତଥା ଏହାର ରାଜଧାନୀ ଉହାନ ସମେତ ୧୭ଟି ସହରକୁ ବନ୍ଦ କରିଦେଇଛନ୍ତି । ଦେଶରେ ନୂଆବର୍ଷ ଉତ୍ସବ ମଧ୍ୟ ବନ୍ଦ ହୋଇଯାଇଛି । ପ୍ରାୟ ୨ ସପ୍ତାହ ଧରି ଦେଶର ବ୍ୟବସାୟିକ ପେଣ୍ଠସ୍ଥଳୀ ଉହାନ ବନ୍ଦ ରହିବା ଫଳରେ ଦେଶର ଆର୍ଥିକ ସ୍ଥିତି ଉପରେ ଏହାର ପ୍ରଭାବ ପଡିଛି । ଚୀନ ଅର୍ଥନୀତିରୁ ଦୁଇତୃତୀୟାଂଶ ଏବେ ପ୍ରଭାବିତ ହୋଇଥିବା ଅର୍ଥନୀତିଜ୍ଞମାନେ ମତ ରଖିଛନ୍ତି ।

ଦେଶର ଷ୍ଟକ ବଜାର ୮ ପ୍ରତିଶତ ଖସିଥିବା ବେଳେ ୩୯ହଜାର୩୦୦କୋଟି ଡଲାର ମୁଲ୍ୟର କ୍ଷତି ଘଟିଛି । ଏହି ପରିପ୍ରେକ୍ଷୀରେ ଚୀନ ରାଷ୍ଟ୍ରପତି ସି-ଜିନପିଙ୍ଗ ଦ୍ୱିତୀୟ ଥର ପାଇଁ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତାମାନଙ୍କ ବୈଠକ ଡକାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି । ରୋଗକୁ କିପରି ନିୟନ୍ତ୍ରଣ କରାଯିବ ଏବଂ ଅର୍ଥନୈତିକ ପରିସ୍ଥିତିର କିପରି ମୁକିବିଲା କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଛି ।