ରାଜସ୍ଥାନ ଜୟପୁର ହୋଟେଲରେ ଥିବା ଇଟାଲୀ ମହିଳାଙ୍କ ଠାରେ ସ୍ପଷ୍ଟ ହେଲା କରୋନା ଭୂତାଣୁ : ପୁଣେରୁ ଆସିଲା କରୋନା ପଜିଟିଭ୍ ରିପୋର୍ଟ, ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୩୧କୁ ବୃଦ୍ଧି

279

କନକ ବ୍ୟୁରୋ : ଦେଶରେ କରୋନାର କରୁଣ ସ୍ଥିତି ଜାରି ରହିଛି । ରାଜସ୍ଥାନର ଜୟପୁର ହୋଟେଲରେ ଥିବା ଇଟାଲୀ ପର୍ଯ୍ୟଟକଙ୍କ ପତ୍ନୀଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି । ପରୀକ୍ଷା ପାଇଁ ତାଙ୍କର ସାମ୍ପୁଲ ପୁଣେରେ ଥିବା ଲାବକୁ ପଠାଯାଇଥିଲା । ଏହି ରିପୋର୍ଟ ପଜିଟିଭ୍ ଜଣାପଡିଛି । ଏହାକୁ ମିଶାଇ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୩୧ କୁ ବୃଦ୍ଧି ହୋଇଛି । ଗତ ୨ ଦିନ ଧରି ଲଗାତର କରୋନା ଆକ୍ରାନ୍ତ ସଂଖ୍ୟାରେ ବି ବୃଦ୍ଧି ଦେଖିବାକୁ ମିଳିଛି । ଯାହାକୁ ନେଇ ଆତଙ୍କ ଖେଳିଯାଇଛି ।

ଜୟପୁରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ମହିଳା ପର୍ଯ୍ୟଟକଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ପୁଣେରୁ ରିପୋର୍ଟ ଆସିବା ପରେ ଏହା ଅଧିକ ପୁଷ୍ଟି କରିଛି । ଏହାକୁ ମିଶାଇ ଗୁରୁବାର ମୋଟ୍ ୨ଟି ନମୂନା ପଜିଟିଭ୍ ଆସିଛି । ସେଥିରୁ ଗୋଟିଏ ଜୟପୁର ହୋଟେଲରେ ଥିବା ଇଟାଲୀ ପର୍ଯ୍ୟଟକଙ୍କର , ଅନ୍ୟଟି ଉତ୍ତରପ୍ରଦେଶ ଗାଜିଆବାଦର ସେକ୍ଟର ୨୩ ଅଂଚଳରେ ରହୁଥିବା ୫୭ ବର୍ଷୀୟ ଜଣେ ବ୍ୟକ୍ତିଙ୍କର । ସେ ତେହରାନରୁ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ ଗତ ୨୩ ତାରିଖରେ । ଏବେ ତାଙ୍କ ଠାରେ କରୋନା ପଜିଟିଭ୍ ମିଳିଛି । ସେ ତାଙ୍କର ପତ୍ନୀ ଓ ପୁଅ ସହିତ ରହୁଥିଲେ । ସମସ୍ତ ଆକ୍ରାନ୍ତଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଗାଜିଆବାଦର ଯେଉଁ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ପଜିଟିଭ୍ ମିଳିଛ , ସଂକ୍ରମଣ ସନ୍ଦେହରେ ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ଘର ଭିତରେ ହୋମ୍ ଆଇସୋଲେସନ୍ କରି ରଖାଯାଇଛି । ସେପଟେ ହଠାତ୍ ମାସ୍କ ଗୁଡିକର ଚାହିଦା ବଢିଯାଇଛି । ଏହାର ବ୍ୟବହାର ବଢିଯାଇଥିବାରୁ ଔଷଧ ଦୋକାନ ଗୁଡିକରେ ମଧ୍ୟ ଆବଶ୍ୟକ ପରିମାଣର ମାସ୍କ ମିଳିପାରୁନି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ଅନ୍ୟପଟେ ଦିଲ୍ଲୀରେ ସରକାରଙ୍କୁ ଘାରିଲାଣି କରୋନା ଭୟ । ଛୋଟ ଛୋଟ ପିଲାଙ୍କ ଠାରେ ଏହି ସଂକ୍ରମଣ ଅଧିକ ବ୍ୟାପିବା ଆଶଙ୍କା ଥିବାରୁ ଦିଲ୍ଲୀ ସରକାର ଆସନ୍ତା ୩୧ ମାର୍ଚ ଯାଏଁ ପଂଚମ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଖଜୁରଖାସ୍ ଅଂଚଳରେ ସ୍କୁଲ ପରିଦର୍ଶନ ସମୟରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋସିଆ । ଲୋକଙ୍କର ଭୟ କରିବାର କିଛି ନାହିଁ । ସରକାର କରୋନା ମୁକାବିଲା ପାଇଁ ପୁରା ପ୍ରସ୍ତୁତ ଥିବା କହିଛନ୍ତି ସିସୋଦିଆ ।