ବସରେ ଭିଡ ନିୟନ୍ତ୍ରଣ କରିବାକୁ ତତ୍ପର ହେଲା ପରିବହନ ବିଭାଗ : ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା, ବସ ଷ୍ଟାଣ୍ଡରେ ମାସ୍କ ଯୋଗାଇ ଦେବାକୁ ପଦକ୍ଷେପ ନେଇ ମନ୍ତ୍ରୀଙ୍କ ସୂଚନା

510

କନକ ବ୍ୟୁରୋ : ବସରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଘରୋଇ ବସ୍ ମାଲିକ ସଂଘ ସହିତ ଆଲୋଚନା କରିଛନ୍ତି ସରକାର । ପ୍ରତି ଜିଲ୍ଲାର ବସଷ୍ଟାଣ୍ଡରେ ସ୍ୱଛତା ଉପରେ ଗୁରୁତ୍ୱ ଦିଆଯାଉଛି । କରୋନା ଭୟରେ ଧୀରେ ଧୀରେ ଯାତ୍ରୀ ସଂଖ୍ୟା କମୁଛି । ବସଷ୍ଟାଣ୍ଡ ମାନଙ୍କରେ କିପରି ମାସ୍କ ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରାଯାଇଛି । ମାସ୍କ ଆବଶ୍ୟକତା ଥିବାରୁ ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରାଯାଉଛି । ବଜାରରେ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ନାହିଁ । ବସଗୁଡିକରେ ସ୍ୱଚ୍ଛତା ରଖିବାକୁ ବସ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବସ୍ ସିଟରୁ ଅଧିକ ଯାତ୍ରୀ ନେଇପାରିବେନି । ବସରେ ଯେପରି ଅଧିକ ଭିଡ ନହୁଏ ଗୁରୁତ୍ୱ ଦିଆଯାଇଛି । ବସଷ୍ଟାଣ୍ଡରେ ବଡ ସମାଗମ ନକରିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ କରୋନା ପାଇଁ ଆରଟିଓ ଅଫିସରେ ଭିଡ କମାଇବା ପାଇଁ ପଦକ୍ଷେପ ନିଆଯିବ । ଦିନକୁ ୫୦ ଭିତରେ ଲୋକଙ୍କୁ ସୀମିତ ରଖିବାକୁ ପ୍ରୟାସ କରାଯିବ । ଏନେଇ ସବୁ ଆରଟିଓକୁ ବିଭାଗ ପକ୍ଷରୁ ଚିଠି କରାଯିବ । ଯେଉଁମାନଙ୍କର ଆବଶ୍ୟକତା ନାହିଁ ନଆସିବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ୱନାଭ ବେହେରା ।

ଅନ୍ୟପଟେ ଆଇଟି ଫାର୍ମ ଗୁଡିକୁ କମିସନରେଟ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଭୁବନେଶ୍ୱର ଓ କଟକରେ ଥିବା ଫାର୍ମଗୁଡିକୁ ନୋଟିସ କରାଯାଇଛି । ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ନଯିବାକୁ ପରାମର୍ଶ ଦିଆଯାଇଛି । ୧୪ ଦିନ ପାଇଁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ । କାମ କରିନପାରିଲେ କମ୍ପାନୀ ନିୟମ ଅନୁସାରେ ଛୁଟିରେ ରହିବେ । କୌଣସି କର୍ମଚାରୀଙ୍କୁ ଥଣ୍ଡା କାଶ ହେଉଥିଲେ ଅଫିସ ନଯିବାକୁ ପରାମର୍ଶ । ଅତି ଆବଶ୍ୟକ ନପଡିଲେ କର୍ମଚାରୀଙ୍କୁ ବିଦେଶ ନଯିବାକୁ ପରାମର୍ଶ ଦିଆଯିବା ସହ ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି ।