କରୋନାର କୋକୁଆ ଭୟ : ବିଦେଶୀ ଶ୍ରଦ୍ଧାଳୁଙ୍କୁ ୨ ମାସ ପାଇଁ ମଥୁରାର ଇସ୍କନ ମନ୍ଦିର ନଆସିବାକୁ ଅନୁରୋଧ

219

କନକ ବ୍ୟୁରୋ : ବିଦେଶୀ ଶ୍ରଦ୍ଧାଳୁଙ୍କୁ ଆସନ୍ତା ୨ ମାସ ପାଇଁ ମଥୁରା ମନା । ବର୍ତ୍ତମାନ ପାଇଁ ବିଦେଶୀ ଶ୍ରଦ୍ଧାଳୁଙ୍କୁ ମଥୁରାର ଇସ୍କନ ମନ୍ଦିର ନଆସିବାକୁ ଅନୁରୋଧ କରାଯାଇଛି । ଏନେଇ ମଥୁରା ଇସ୍କନ ମନ୍ଦିର କର୍ତ୍ତୃପକ୍ଷ ଆଡଭାଇଜରି ଜାରି କରିଛନ୍ତି । ବିଦେଶୀ ନାଗରିକଙ୍କ ଠାରେ କରୋନା ଅଧିକ ପରିମାଣରେ ଠାବ ହେଉଛି । ବର୍ତମାନ ମଥୁରାରେ ଚାଲିଛି ଲଠମାର୍ ହୋଲି ପର୍ବ ପାଳନ । ଏପରି ସମୟରେ ଶହ ଶହ ସଂଖ୍ୟାରେ ଲୋକଙ୍କ ସହିତ ବିଦେଶୀ ନାଗରିକ ମଧ୍ୟ ସାମିଲ ହୋଇଥାନ୍ତି ।

ତେଣୁ ଯଦି କୌଣସି ବିଦେଶୀ ନାଗରିକଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣ ଥିବା, ଏହା ସହଜରେ ଅନ୍ୟ ଲୋକଙ୍କୁ ସଂକ୍ରମିତ ହୋଇଯିବ । ତେଣୁ ଏହି ସଂକ୍ରମଣ ରୋକିବାକୁ ମଥୁରାରେ ଇସ୍କନ ମନ୍ଦିର କର୍ତୃପକ୍ଷ ବିଦେଶୀ ଶ୍ରଦ୍ଧାଳୁଙ୍କୁ ମନ୍ଦିର ନଆସିବାକୁ ଅନୁରୋଧ କରିଛନ୍ତି ।

ସେପଟେ ଭୁଟାନରେ ପ୍ରବେଶ କରିଛି କରୋନା ଭୂତାଣୁ । ଭୂଟାନରେ ଜଣେ ଆମେରିକୀୟ ପର୍ଯ୍ୟଟକଙ୍କ ଠାରେ କରୋନା ଠାବ ହୋଇଥିବା ଜଣାପଡିଛି । ଆଜି ତାଙ୍କର ସାମ୍ପଲ ପରୀକ୍ଷା ରିପୋର୍ଟ ଆସିବା ପରେ ଏହା ପଜିଟିଭ୍ ଥିବା ଜଣାପଡିଥିଲା । ଏଥି ସହିତ ଭୂଟାନରେ ଏହା ପ୍ରଥମ କରୋନା ସଂକ୍ରମଣ ବୋଲି ଭୂଟାନ ସରକାର ସ୍ପଷ୍ଟ କରିଛନ୍ତି । ଭୂଟାନରେ କରୋନା ଭୂତାଣୁ ଠାବ ହେବା ପରେ ପରେ ଏହାର ସୀମା ସିଲ୍ କରିଛି । ଆଗାମୀ ୨ ସପ୍ତାହ ପାଇଁ ଏହାର ସୀମା ସିଲ୍ କରାଯାଇଥିବା ସୂଚନା ଦେଇଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ ।