ଗୋଟିଏ ପରେ ଗୋଟିଏ ଦେଶରେ କାୟା ମେଳାଉଛି କରୋନା : ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ କହିଲା, ଏଯାଏଁ ୧୯୬ ଦେଶରେ ଆକ୍ରାନ୍ତ . . ଗଲାଣି ୧୬ ହଜାର ୩୬୨ ଜଣଙ୍କ ଜୀବନ

1,519

କନକ ବ୍ୟୁରୋ : ଅଣାୟତ ଭାବେ ମାଡି ଚାଲିଛି ମାରାତ୍ମକ କରୋନା ଭୂତାଣୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ – ଡବ୍ଲୁଏଚଓ ଅନୁସାରେ ଏଯାଏଁ ଏହି ଭୂତାଣୁ ପୃଥିବୀର ୧୯୬ ଦେଶକୁ ମାଡି ଗଲାଣି । ଏଥିରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୭୫ ହଜାର ୪୯୮ ଜଣ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି । ଏହା ସହ ସାରାବିଶ୍ୱରେ ୧୬ ହଜାର ୩୬୨ ଜଣଙ୍କର ମୃତ୍ୟୁ ଘଟିଛି । ଆକ୍ରାନ୍ତଙ୍କ ସଂଖ୍ୟା ଅନୁସାରେ ପ୍ରଥମ ୫ଟି ସ୍ଥାନରେ ଚୀନ, ଇଟାଲୀ, ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ ଓ ଜର୍ମାନୀ ରହିଛି । ତେବେ ଚୀନ ଓ ଇଟାଲୀ ପରେ ଆମେରିକା ଏହି ମାରାତ୍ମକ ମହାମାରୀର କେନ୍ଦ୍ର ହେବାକୁ ଯାଉଛି ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଗତ ଦୁଇ ଦିନରେ ଇଟାଲୀରେ ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ତେବେ ଗତକାଲି ଗୋଟିଏ ଦିନରେ ୭୪୩ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହ ଇଟାଲିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬ ହଜାର ୮୨୦କୁ ବୃଦ୍ଧି ପାଇଛି । ସ୍ପେନରେ ମଧ୍ୟ ପରିସ୍ଥିତି ବେଶ୍ ଜଟିଳ । ଗତକାଲି ଗୋଟିଏ ଦିନରେ ୫୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ୨ ହଜାର ୬୯୬ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ହୁ କହିଛି । ତେବେ ଗତ ୨୪ ଘଣ୍ଟାରେ ସ୍ପେନରେ ୬୬୦୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କରୋନାକୁ ମୁକାବିଲା କରିବା ପାଇଁ ୨୨ଟି ଦେଶରେ ଲକଡାଉନ ଘୋଷଣା ହୋଇଛି । ଫଳରେ ପ୍ରାୟ ୨୨୦ କୋଟିରୁ ଅଧିକ ଲୋକଙ୍କ ଉପରେ କଟକଣା ଲାଗିଛି ।