କରୋନା ଭୂତାଣୁ ସଂକ୍ରମଣ ଭିତରେ ଜୀବନରକ୍ଷକ ସାଜିଲା ଡେକ୍ସାମେଥାସୋନ । କ୍ଲିନିକାଲ ଟ୍ରାଏଲର ପରିଣାମକୁ ସ୍ୱାଗତ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅଧ୍ୟୟନରୁ ଜଣାପଡିଲା ଡେକ୍ସାମିଥାସୋନ ବ୍ୟବହାରରୁ ଏକ ତୃତୀୟାଂଶ କମିଛି ମୃତ୍ୟୁହାର ।

777

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ ଏଯାଏଁ କୌଣସି ଔଷଧ ବା ଟୀକା ବାହାରି ନାହିଁ । ଔଷଧ ଓ ପ୍ରତିଷେଧକ ଟୀକାକୁ ନେଇ ବୈଜ୍ଞାନକିଙ୍କ ଗବେଷଣା ଜାରି ରହିଥିବା ବେଳେ ଡେକ୍ସାମେଥାସୋନ ନାମକ କୋର୍ଟିକୋ ଷ୍ଟେରଏଡର କ୍ଲିନିକାଲ ଟ୍ରାଏଲର ପରିଣାମକୁ ସ୍ୱାଗତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡେକ୍ସାମେଥାସୋନ ବ୍ୟବହାର ଯୋଗୁଁ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେଉଥିବା ବ୍ରିଟେନ ଚିକିତ୍ସାବିଜ୍ଞାନୀ ଦାବି କରିଛନ୍ତି । ଆଉ ବ୍ରିଟେନ ଚିକିତ୍ସା ବିଜ୍ଞାନୀଙ୍କ ଏଭଳି ଦାବିକୁ ସମର୍ଥନ ଜଣାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ।

ପ୍ରତି ତିନି ଜଣ ଗୁରୁତର କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ଜଣକ କ୍ଷେତ୍ରରେ ଏହି ଔଷଧ କାମ ଦେଉଛି । ଫଳରେ ମୃତ୍ୟୁହାର କମୁଛି । ଡେକ୍ସାମେଥାସୋନ ଗୁରୁତର କରୋନା ରୋଗୀଙ୍କ ପାଇଁ ଫଳପ୍ରଦ ହେଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଭେଂଟିଲେଟରରେ ଥିବା ରୋଗୀଙ୍କୁ ଏହି ଔଷଧ ଦିଆଯାଇପାରିବ ଏବଂ ଏହାଦ୍ୱାରା କରୋନା ମୃତ୍ୟୁ ହାର କମିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଷାଠିଏ ଦଶକରେ ନିର୍ଦ୍ଦିଷ୍ଟ କ୍ୟାନସର ରୋଗ ପାଇଁ ଏହି ଔଷଧ ବ୍ୟବହାର ହେଉଥିଲା । ଏହାକୁ ୧୯୭୭ ମସିହାରେ ଅତ୍ୟାବଶ୍ୟକ ଔଷଧ ଭାବେ ଡବ୍ଲୁଏଚଓ ତାଲିକା ଭୁକ୍ତ କରିସାରିଛି ।