ଭାରତରେ ୧୦୭ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ସର୍ବାଧିକ ୩୧ଟି ମାମଲା ମହାରାଷ୍ଟ୍ରରେ

738

କନକ ବ୍ୟୁରୋ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଲା । ୧୦୭ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୯୦ ଜଣ ଭାରତୀୟ ନାଗରିକ ଓ ୧୭ ଜଣ ବିଦେଶୀ ନାଗରିକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । କରୋନା ଭାଇରସରେ ଆକ୍ରାନ୍ତ ଭାରତୀୟଙ୍କ ମଧ୍ୟରେ ସବୁଠୁ ଅଧିକ ଅଛନ୍ତି ମହାରାଷ୍ଟ୍ରରେ । ସେଠାରେ ୩୧ଜଣ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବା ବେଳେ ଉତ୍ତରପ୍ରଦେଶରେ ୧୧ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିଛି । ହରିୟାଣାର ସମସ୍ତ ୧୪ ରୋଗୀ ବିଦେଶୀ ନାଗରିକ।

କରୋନାର ଭୟାବହତାକୁ ନଜରରେ ରଖି ବିଭିନ୍ନ ରାଜ୍ୟରେ ସ୍କୁଲ ଏବଂ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିନେମା ହଲ୍ ଠାରୁ ଆରମ୍ଭ କରି ସଭାସମିତି ଉପରେ ସାମୟିକ ସମୟ ପାଇଁ କଟକଣା ଲଗାଯାଇଛି । କାର୍ଯ୍ୟାଳୟଗୁଡ଼ିକ ସେମାନଙ୍କ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ଉତ୍ସାହିତ କରୁଛନ୍ତି ।

ସେପଟେ କରୋନା ମୁକାବିଲ ପାଇଁ ସାର୍କ ଦେଶକୁ ଏକାଠି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । କରୋନା ଭଳି ମହାମାରୀ ବିରୁଦ୍ଧରେ ଲଢ଼ିବା ପାଇଁ ମୋଦିଙ୍କ ଆହ୍ୱାନ ପରେ ସାର୍କ ଅଧିନରେ ଆସୁଥିବା ସମସ୍ତ ୮ଟି ରାଷ୍ଟ୍ର ଏହି ଆହ୍ୱାନକୁ ଗ୍ରହଣ କରିଛନ୍ତି । ଏମିତି କି ଏଥିରେ ସାମିଲ୍ ହୋଇଛି ପାକିସ୍ତାନ । ଏହି କ୍ରମରେ ଆଜି ଅପରାହ୍ନ ୫ଟାରେ ସାର୍କ ଦେଶର ନେତାମାନେ କରୋନା ମୁକାବିଲା ନେଇ ଭିଡିଓ କନଫର୍ସେିଂ ଜରିଆରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।