ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ : ଉତ୍ତରାଖଣ୍ଡରେ ଚିହ୍ନଟ ହେଲେ ପ୍ରଥମ ରୋଗୀ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରୁ ଆସିଲା ଦୁଇଟି ନୂଆ ଘଟଣା

321

କନକ ବ୍ୟୁରୋ : ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦କୁ ଛୁଇଁଛି । ପାହାଡି ରାଜ୍ୟ ଉତରାଖଣ୍ଡରେ ରବିବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରୁ ଆଉ ଦୁଇଟି ନୂଆ ଘଟଣା ସାମ୍ନାକୁ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ରବିବାର ରାତି ସାଢେ ୧୧ଟାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସର୍ବଶେଷ ରିପୋର୍ଟରେ ଏହି ୧୧୦ କରୋନା ଆକ୍ରାନ୍ତଙ୍କ ବାବଦରେ ସୂଚନା ଦିଆଯାଇଛି । ଏଥିରେ ଦିଲ୍ଲୀ ଓ କର୍ଣ୍ଣାଟକରେ ମୃତ ଦୁଇ କରୋନା ଆକ୍ରାନ୍ତଙ୍କ ତଥ୍ୟ ମଧ୍ୟ ସାମିଲ ରହିଛି ।

କର୍ଣ୍ଣାଟକ କୁଲବର୍ଗିରେ ଜଣେ ୭୬ ବର୍ଷୀୟ ବ୍ୟକ୍ତି ଓ ଦିଲ୍ଲୀ ରାମ ମନୋହର ଲୋହିଆ ଲୋହିଆ ହସ୍ପିଟାଲରେ ଜଣେ ୬୮ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରପୋର୍ଟରେ କୁହାଯାଇଛି । ଏମାନଙ୍କ ଭିତରେ ୯୩ ଭାରତୀୟ ଓ ୧୭ଜଣ ବିଦେଶୀ ନାଗରିକ ଅଛନ୍ତି । ୧୭ ବିଦେଶୀଙ୍କ ମଧ୍ୟରୁ ୧୬ଜଣ ଇଟାଲି ନାଗରିକ ଓ ଜଣେ କାନାଡା ନାଗରିକ ଅଛନ୍ତି । ତେବେ ମହାରାଷ୍ଟ୍ରରେ ସର୍ବାଧିକ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହା ପଛକୁ ରହିଛି କେରଳ । ସେଠାରେ ୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଉତ୍ତର ପ୍ରଦେଶରେ ୧୨ ଜଣ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୭ଜଣଙ୍କ ମଧ୍ୟରୁ ଜଣଙ୍କର ଓ କର୍ଣ୍ଣାଟକରେ ଚିହ୍ନଟ ୬ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ତେଲେଙ୍ଗାନାରେ ୩, ଲଦାଖରେ ୩, ରାଜସ୍ଥାନ ଓ ଜାମ୍ମୁ-କାଶ୍ମୀରରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ, ପଞ୍ଜାବ, ତାମିଲନାଡୁ, ଉତ୍ତରାଖଣ୍ଡରେ ଜଣେ ଲେଖାଏଁ କରୋନା ଭୂତାଣୁ ଆକ୍ରାନ୍ତ ଥିବା ଜଣାପଡିଛି । ହରିଆଣାରେ ଚିହ୍ନଟ ସମସ୍ତ ୧୪ କରୋନା ଆକ୍ରାନ୍ତ ବିଦେଶୀ ନାଗରିକ ।

ତେବେ ଏହାରି ଭିତରେ ସବୁଠାରୁ ଖୁସିର କଥା ହେଲା ମୋଟ୍ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି । ଉତ୍ତର ପ୍ରଦେଶରେ ସର୍ବାଧିକ ୪ଜଣ, କେରଳ ଓ ରାଜସ୍ଥାନରେ ୩ଜଣ ଲେଖାଏଁ, ଦିଲ୍ଲୀରେ ୨ଜଣ ଓ ତେଲେଙ୍ଗାନାରେ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟରେ କୁହାଯାଇଛି ।