ତାଲାବନ୍ଦ ଘୋଷଣା ସତ୍ୱେ ରାସ୍ତା ଉପରେ ଗଡୁଛି ମାଳମାଳ ଗାଡି : ନିୟମ ଭାଙ୍ଗି ଅଯଥାରେ ବାହାରେ ବୁଲାବୁଲି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

607

କନକ ବ୍ୟୁରୋ : ଲକ ଡାଉନକୁ ଗୁରୁତର ସହ ନନେଇ ବାହାରେ ବୁଲା ବୁଲି କରୁଛନ୍ତି କି ? ଜରୁରୀ କାମ ନଥାଇ ବି ବଜାରକୁ ଆସୁଛନ୍ତି କି? ତେବେ ସାବଧାନ, ପୁଲିସ ହାତରେ ଧରା ପଡିଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର । କାରଣ ଏଥିପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ଲକ ଡାଉନ ବା ତାଲା ବନ୍ଦ ଘୋଷଣା ସତ୍ୱେ ରାସ୍ତା ଉପରେ ଗଡୁଛି ମାଳମାଳ ଗାଡି । ଲୋକେ ଗାଡି ଧରି ସହର ବଜାରକୁ ବାହାରିଥିବା ବେଳେ ପୁଲିସ, ସେମାନଙ୍କୁ ବୁଝାଇବାକୁ ପଡୁଛି । କରୋନା ଭୂତାଣୁକୁ ପ୍ରତିହତ କରିବା ଉଦେଶ୍ୟରେ ଦିଲ୍ଲୀ ରୁ ଭୁବନେଶ୍ୱର ସବୁଠି ଲକ ଡାଉନ ଘୋଷଣା କରାଯାଇଛି । ପ୍ରାୟ ୮୦ରୁ ଅଧିକ ଜିଲ୍ଲାରେ ତାଲା ବନ୍ଦ ନିଷ୍ପତି ନେଇଛନ୍ତି ସରକାର । ହେଲେ ଅନେକ ସ୍ଥାନରେ ଲୋକେ ଏହାକୁ ଉଲଂଘନ କରୁଥିବା ନଜରକୁ ଆସିଛି ।

ସାଧାରଣ ଜନତାଙ୍କ ହିତ ପାଇଁ ଜାରି ହୋଇଥିବା ଲକ୍ ଡାଉନ ନିଷ୍ପତିକୁ ଉଲଘଂନ କଲେ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର । ନିୟମ ଭାଙ୍ଗି ଅଯଥାରେ ବାହାରେ ବୁଲାବୁଲି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଲୋକଙ୍କୁ ନିବେଦନ କରିଛନ୍ତି ନିଜକୁ ରକ୍ଷା କରନ୍ତୁ, ନିର୍ଦ୍ଦେଶାବଳୀ ଅନୁସରଣ କରି ନିଜ ପରିବାରକୁ ବଂଚାନ୍ତୁ । ତଥାପି ଲୋକେ ତାଲା ବନ୍ଦକୁ ଗମ୍ଭୀରତାର ସହ ନେଉ ନାହାନ୍ତି । ତେଣୁ କଠୋର ହୋଇଛନ୍ତି ସରକାର । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଓଡିଶା ସମେତ ଉତରପ୍ରଦେଶ, ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ ତାଲା ବନ୍ଦ ଘୋଷଣା ହୋଇଛି ।