କନକ ବ୍ୟୁରୋ : ମହାମାରୀ କୋଭିଡ୍-୧୯ର ସୃଷ୍ଟିକର୍ତ୍ତା କରୋନାଭୂତାଣୁ ସାର୍ସ-କୋଭ୍-୨ର ଦେଖାଦେଇଥିବା ବିଭିନ୍ନ ପ୍ରଜାତି ମଧ୍ୟରୁ ଚୀନ୍ ଓ ୟୁରୋପରେ ଆବିର୍ଭୂତ ଦୁଇଟି ପ୍ରଜାତି ଭାରତରେ ହିଁ ପ୍ରଭାବ ବିସ୍ତାର କରିଛି। ଏହି ସୂଚନା ଦେଇଛନ୍ତି କୋଲକାତା ସ୍ଥିତ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ତିଆ(ଜେଡ୍ଏସ୍ଆଇ)ର ଗବେଷକମାନେ। କୋଭିଡ୍-୧୯ ସଂକ୍ରମଣ ବେଳେ ଜେଡ୍ଏସ୍ଆଇ ଭାରତରେ ମୋଟ ୧୯୮ ପ୍ରକାରର ଅଭିନବ କରୋନାଭୂତାଣୁର ପରିବର୍ତ୍ତିତ ରୂପ ଠାବ କରିଛନ୍ତି। ତହିଁରୁ ଦିଲ୍ଲୀରେ ସର୍ବାଧିକ ଶ୍ରେଣୀର ପ୍ରଜାତି ରହିଛନ୍ତି। ଦିଲ୍ଲୀ ପଛକୁ ଗୁଜରାଟ, ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ମଧ୍ୟ ଅଧିକ ପ୍ରଜାତିର କରୋନାଭୂତାଣୁ ଦେଖାଦେଇଛି।
ଭାରତରେ ଉପଲବ୍ଧ କରୋନାଭୂତାଣୁର ମୋଟ ୪୦୦ଟି ବଂଶାନୁକ୍ରମିକ ଉପାଦାନର ବିଶ୍ଳେଷଣ କରି ଏପରି ସାରମର୍ମ ପାଇଛନ୍ତି ଜେଡ୍ଏସ୍ଆଇର ଗବେଷକମାନେ। ଅର୍ଥାତ୍ ଏହି ଅଭିନବ କରୋନାଭୂତାଣୁ ଭାରତରେ ପ୍ରବେଶ କରିବା ପୂର୍ବରୁ ଅବା ଏଠାରେ ନିଜର ଉପସ୍ଥିତି ଜାହିର କଲା ପରେ ଅତି କମ୍ରେ ୧୯୮ ଥର ରୂପ ବଦଳାଇଛି ବୋଲି ଜେଡ୍ଏସ୍ଆଇର ନିର୍ଦ୍ଦେଶକ କୈଳାସଚନ୍ଦ୍ର କହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାଥମିକ ପ୍ରଜାତି ଇଟାଲୀରୁ ଆସିଥିବା ବେଳେ ପରେ ଅନ୍ୟ କିଛି ପ୍ରଜାତି ଅନ୍ୟାନ୍ୟ ୟୁରୋପୀୟ ଦେଶରୁ ଆସିଛନ୍ତି। ସେହିପରି ସେମାନଙ୍କ ଭିତରେ ସାର୍ବଜନୀନ ଥିବା ଡି୬୧୪ ନାମକ ପ୍ରଜାତିର ପ୍ରଭାବ ଆମେରିକା ଓ ୟୁରୋପରେ ମାତ୍ରାଧିକ ଥିବା ବେଳେ ଭାରତରେ ତାହା ଉଲ୍ଲେଖନୀୟ ନୁହେଁ। କରୋନାଭୂତାଣୁର ଏପରି ରୂପ ପରିବର୍ତ୍ତନ ସହ ଏହାର ସଂକ୍ରମଣ ହାର ବା ଭୟାବହତା ନିର୍ଭର କରୁ ନଥିଲେ ବି ଏହି ଅଧ୍ୟୟନ ଏକ ସଫଳ ଟିକା ବାହାର କରିବାରେ ସହାୟକ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/iStock-1209432716-431231188-1585248808.jpg)