ବଢ଼ୁଛି କରୋନା ପ୍ରକୋପ : ୩ ନୂଆ ଜିଲ୍ଲାକୁ ଡେଇଁଲା କରୋନା, ୧୪ ଜିଲ୍ଲାକୁ ବ୍ୟାପିଲା ଭାଇରସ୍

2,345

କନକ ବ୍ୟୁରୋ : ଓଡ଼ିଶାରେ ବଢ଼ୁଛି ସଂକ୍ରମଣ । ଦିନକୁ ଦିନ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ମାରାତ୍ମକ ଭାଇରସ୍ । ପୂର୍ବରୁ କିଛି ଜିଲ୍ଲାରେ ସୀମିତ ଥିବା କରୋନାଇ ଭାଇରସ୍ ଏବେ ୧୪ ଜିଲ୍ଲାକୁ ବ୍ୟାପିଛି । ସଂକ୍ରମଣ ତାଲିକା ବଢ଼ୁଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ପୁରୀ, ସୁନ୍ଦରଗଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ପୁଣି ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଏହି ତାଲିକାରେ ସାମିଲ ହୋଇଛନ୍ତି ।

ଆଜି ୩ ନୂଆ ଜିଲ୍ଲାକୁ ବ୍ୟାପିଛି କରୋନା । କେନ୍ଦୁଝର, ଦେବଗଡ ଓ ଝାରୁସୁଗୁଡାରେ ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି । ତେବେ ସମସ୍ତ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍ ରହିଛି । ତେବେ ପଶ୍ଚିବଙ୍ଗରୁ ଫେରିବା ପରେ ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟିନରେ ଥିବା ସୂଚନା ମିଳିଛି ।

 

ଆଜି ଗୋଟିଏ ଦିନରେ ରାଜ୍ୟରେ ୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସକାଳେ ଭୁବନେଶ୍ୱରରେ ବି ଆଉ ଜଣେ ୭୭ ବର୍ଷିୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ରାଜ୍ୟରେ ବର୍ତ୍ତମାନ ମୋଟ ୧୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଜଣ ସୁସ୍ଥ ହୋଇସାରିଥିବାବେଳେ ୮୩ଟି ଆକ୍ଟିଭ ମାମଲା ରହିଛି ।  କେନ୍ଦୁଝର, ଦେବଗଡ ଓ ଝାରୁସୁଗୁଡା ସହ ରାଜ୍ୟର ୧୪ ଜିଲ୍ଲାକୁ ବ୍ୟାପିଛି କରୋନା । ଆଜି ସକାଳେ ଚିହ୍ନଟ ୧୧୯ ନମ୍ବର ଆକ୍ରାନ୍ତ ଭୁବନେଶ୍ୱର ମଧୁସୁଦନ ନଗରର ୭୭ ବର୍ଷିୟ ବୃଦ୍ଧ । ଏହି ବ୍ୟକ୍ତି ୪୧ ନମ୍ବର ଆକ୍ରାନ୍ତଙ୍କ ସଂପର୍କୀୟ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।