ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୩୯ କୁ ବୃଦ୍ଧି : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪୪୭, ୨୪ ଘଣ୍ଟାରେ ମଧ୍ୟରେ ୧୦୩୫ ସଂକ୍ରମିତ ଚିହ୍ନଟ

717

କନକ ବ୍ୟୁରୋ : ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲିଛି । ଗତକାଲି ଗୋଟିଏ ଦିନରେ ୧୦୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ସବୁଠାରୁ ଅଧିକ ୧୮୩ ମାମଲା ସାମ୍ନାକୁ ଆସିଛି । ସେହିପରି ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁରେ ମଧ୍ୟ ବଡ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଭିତରେ ଶେଷ ୨୪ ଘଂଟାରେ ୨୩୯ ଜଣଙ୍କ ଜୀବନ ଯାଇଥିବା ରିପୋର୍ଟ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟାରେ ଦେଶରେ ୧୦୩୫ ନୂଆ ମାମଲା ଆସିଛି ଏବଂ ୪୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ୧୦୩୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୭୪୪୭ କୁ ବୃଦ୍ଧି ହୋଇଛି ।

ସବୁଠାରୁ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ୧୫୭୪ ରହିଛି । ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମଣରେ ସର୍ବାଧିକ ୧୧୦ ଜଣ ପ୍ରାଣ ହରାଇଛନ୍ତି । ସେହିପରି ତାମିଲନାଡୁରେ ୯୧୧ ଆକ୍ରାନ୍ତ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୧୮୩ ନୂଆ ମାମଲା ସହିତ ଆକ୍ରାନ୍ତ ସଂଖ୍ୟା ୯୦୩ କୁ ବୃଦ୍ଧି ହୋଇଛି । ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ ରହିଛି । ତେଲେଙ୍ଗାନାରେ ୪୭୩, ଉତ୍ତରପ୍ରଦେଶରେ ୪୩୧, କେରଳରେ ୩୬୪, ଆନ୍ଧ୍ରପ୍ରଦେଶରେ ୩୬୩, ମଧ୍ୟପ୍ରଦେଶରେ ୨୫୯, ରାଜସ୍ଥାନରେ ୪୬୩ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଏବେ ସୁଦ୍ଧା ୬୪୩ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେପଟେ ଆସନ୍ତା ୧୪ ତାରିଖରେ ସାରାଦେଶରେ ଲକଡାଉନ୍ ଅବଧି ଶେଷ ହେଉଛି । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ଲକଡାଉନ୍ ସମୟ ପୁରୁଥିବା ବେଳେ ରାଜ୍ୟ ସରକାର ମାନଙ୍କ ମତାମତ ଲୋଡି ପାରନ୍ତି । ଏହା ପରେ ଲକଡାଉନ୍ ଅବଧି କଣ ହେବ ତାହାର ନିଷ୍ପତ୍ତି ନେଇ ପାରନ୍ତି । ଜାତୀୟ ଗଣମାଧ୍ୟମଙ୍କ ସୂଚନା ଅନୁସାରେ ମୋଦି ଏନେଇ ଶନିବାର ରାତି କିମ୍ବା ରବିବାର ସକାଳୁ ଘୋଷଣା କରିପାରନ୍ତି । ତେବେ କେନ୍ଦ୍ରର ନିଷ୍ପତ୍ତି ପୂର୍ବରୁ ଓଡିଶା ସରକାର ତାଲାବନ୍ଦର ଅବଧି ଏପ୍ରିଲ ୩୦ ଯାଏଁ ବଢାଇ ଦେଇଛନ୍ତି । ଏହି ଘୋଷଣାର ୨୪ ଘଂଟା ନପୁରୁଣୁ ପଂଜାବ ସରକାର ମଧ୍ୟ ମେ ୧ ତାରିଖ ଯାଏଁ ତାଙ୍କ ରାଜ୍ୟରେ ତାଲାବନ୍ଦ ଅବଧି ବଢାଇଛନ୍ତି । କର୍ଣ୍ଣାଟକ ସରକାର ବି ଏହି ଅବଧି ବଢାଇବା ନେଇ ଆଲୋଚନା ଜାରି ରଖିଛନ୍ତି । ପୂର୍ବରୁ ତେଲେଙ୍ଗାନା ମଧ୍ୟ ଏହି ଅବଧି ବଢାଇବାକୁ କେନ୍ଦ୍ରକୁ ଅନୁରୋଧ କରି ସାରିଛି । ବର୍ତ୍ତମାନର ପରିସ୍ଥିତିରେ ଅଧିକାଂଶ ରାଜ୍ୟ ନବୀନ ସରକାରଙ୍କ ପଦାନୁସରଣ କରି ଲକଡାଉନ୍ ଅବଧି ବଢାଇବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।