କରୋନା ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ପଶ୍ଚିମବଙ୍ଗର ସମସ୍ତ ସ୍କୁଲ ଓ  କଲେଜ : ନିର୍ଦ୍ଧାରିତ ସମୟରେ ହେବ ବୋର୍ଡ଼ ପରୀକ୍ଷା, ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ପରାମର୍ଶ 

755

କନକ ବ୍ୟୁରୋ :  କରୋନା ଭାଇରସର ବଢ଼ୁଥିବା ପ୍ରକୋପକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗ ସରକାର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୬ ମାର୍ଚ୍ଚ ଠାରୁ ଆରମ୍ଭ କରି ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରଖିବା ପାଇଁ ଆଦେଶ ଜାରି କରିଛନ୍ତି । କେବଳ ଏତିକି ନୁହେଁ ସମସ୍ତ ଇଣ୍ଟରନାଲ ପରୀକ୍ଷା ଗୁଡ଼ିକୁ ମଧ୍ୟ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସାରା ବିଶ୍ୱରେ କରୋନା ପାଇଁ ୫ ହଜାର ଲୋକ ପ୍ରାଣ ହରାଇସାରିଛି । ଭାରସର ସଂକ୍ରମଣ ଭୟାବହତାକୁ ନଜରରେ ରଖି ସତର୍କ ରହିବାକୁ ଏପରି ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ସ୍କୁଲ, କଲେଜ ବନ୍ଦ ରହିବା ସହ ମେଡ଼ିକାଲ ଗୁଡ଼ିକୁ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ତେବେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ବୋର୍ଡ଼ ପରୀକ୍ଷା ନିର୍ଦ୍ଧାରିତ ଦିନ ଓ ସମୟରେ ହେବ । ଏହାସହ ଭୂଟାନ ସହ ସଲଗ୍ନ ସୀମାକୁ ମଧ୍ୟ ସିଲ କରିଛନ୍ତି ପଶ୍ଚିମବଙ୍ଗ ସରକାର ।

ସେପଟେ କରୋନା ପାଇଁ ଭାରତରେ ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ଜୁନ୍ ମାସ ଶେଷ ଯାଏଁ ଏହି ଦୁଇଟି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବିବେଚନା କରାଯିବ । ଏହାକୁ ମହଜୁଦ ରଖିବା କିମ୍ୱା ଅଧିକ ମୂଲ୍ୟରେ ବିକ୍ରି କଲେ ବ୍ୟବସାୟୀ ଦଣ୍ଡିତ ହେବେ । ତେବେ ଏହି ଦୁଇଟି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଫାର୍ମାସିଟୁକାଲ ରେଗୁଲେଟରୀ ପ୍ରତି ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି । ଦେଶରେ କରୋନା ସଂକ୍ରମଣ ଖବର ଆସିବା ଭିତରେ ଫେଓ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତକାରୀ କମ୍ପାନୀ ଗୁଡିକ ଯେପରି ଏହି ସାମଗ୍ରୀ ଗୁଡିକର ଦାମ ବୃଦ୍ଧି ନକରନ୍ତି ସେଥିପ୍ରତି ଦୃଷ୍ଟି ରଖିବାକୁ ପ୍ରତି ରାଜ୍ୟ ସରକାରଙ୍କୁ କୁହାଯାଇଛି ।