କନକ ବ୍ୟୁରୋ : ଘଣ୍ଟ ମାଧ୍ୟମରେ ସମସ୍ତଙ୍କୁ ସୂଚାଇ ଦିଆଯାଉଛି, କରୋନା କବଳରୁ ବର୍ତ୍ତିବା ପାଇଁ ସମସ୍ତେ ଘରେ ରୁହନ୍ତୁ। ସାମାଜିକ ଦୂରତା ବଜାଇ ରଖନ୍ତୁ । ଜ୍ବର, କାଶ, ଛିଙ୍କ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ରାତି ପାହିବା କ୍ଷଣି ରାୟଗଡ଼ା ଜିଲ୍ଲାର ଦୁର୍ଗମ, ପାହାଡ଼ିଆ ଗ୍ରାମାଞ୍ଚଳରେ ଶୁଣିବାକୁ ମିଳିଛୁ ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଏପରି ସ୍ବର। ନିଜ ଜୀବନକୁ ବାଜି ଲଗାଇ ଦୁର୍ଗମ ଅଞ୍ଚଳରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଆଶା, ଅଙ୍ଗନବାଡ଼ିକର୍ମୀ । କିଏ ଘଣ୍ଟ ପିଟି ଲୋକଙ୍କୁ ସଚେତନ କରୁଛି ତ, କିଏ ପୋଷ୍ଟର ଲଗାଇ କରୋନାର ବିଷୟରେ ଲୋକଙ୍କୁ ବୁଝାଉଛି ।
କୁଇ, ଆଦିବାସୀ, ତେଲୁଗୁ ଏବଂ ଓଡ଼ିଆ ଭାଷାରେ ଆଶା, ଅଙ୍ଗନବାଡ଼ି କର୍ମୀ ସଚେତନ କରିବା ସହିତ ୨୧ ଦିନ ସଂପୂର୍ଣ ଭାବେ ଗୃହାବଦ୍ଧ ହୋଇ ରହିବାକୁ କହୁଛନ୍ତି। ଏଥି ସହିତ ମାସ୍କ ନଚେତ୍ ମୁହଁରେ ରୁମାଲ୍ ବାନ୍ଧିବାକୁ ଯାତାୟତ କରିବାକୁ ପରାମର୍ଶ ଦେଉଛନ୍ତି । ଏପରି ବିପଦ ସମୟରେ ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଥିବା ବେଳେ ଆଶା, ଅଙ୍ଗନବାଡ଼ି କର୍ମୀ ନିଜ ଜୀବନକୁ ପାଣି ଛଡ଼ାଇ ତୁଲାଉଥିବା ଦାୟିତ୍ବକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।