କରୋନା ଟୀକା ପରୀକ୍ଷଣ ସଫଳ ହୋଇଥିବା ନେଇ ଆମେରିକୀ କମ୍ପାନୀର ଦାବି । ୪୫ ଜଣଙ୍କଠାରେ ଟୀକା ପ୍ରୟୋଗ ପରେ ୮ ଜଣଙ୍କଠାରେ ମିଳିଲା ସକାରାତ୍ମକ ଫଳାଫଳ । ଖୁବଶୀଘ୍ର ୬ଶହ ଜଣଙ୍କଠାରେ ହେବ ପରୀକ୍ଷଣ ।

818

କନକ ବ୍ୟୁରୋ : କରୋନା ଟୀକା ସଫଳ ହୋଇଥିବା ନେଇ ଦାବି କଲା ଆମେରିକା କମ୍ପାନି । ଟୀକା ପ୍ରସ୍ତୁତ କରିଥିବା ଔଷଧ କମ୍ପାନୀ ମୋଡେର୍ଣ୍ଣା ପକ୍ଷରୁ ଏନେଇ ଦାବି କରାଯାଇଛି । ପରୀକ୍ଷାମୂଳକ ଭାବେ କରୋନା ଟୀକା ୪୫ ଜଣଙ୍କୁ ଦିଆଯାଇଥିଲା । ସେମାନଙ୍କ ଭିତରୁ ୮ଜଣଙ୍କ ଠାରେ ଏହାର ସୁଫଳ ମିଳିଛି । ପ୍ରତ୍ୟେକଙ୍କୁ ଟିକାର ଦୁଇଟି ଲେଖାଏଁ ଡୋଜ ଦିଆଯାଇଥିଲା । କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ପ୍ରାଥମିକା ଭାବେ ୧୮ରୁ ୫୫ ବର୍ଷ ବୟସର ୮ଜଣ ସ୍ୱେଚ୍ଛାସେବୀଙ୍କ କ୍ଷେତ୍ରରେ ଟିକା ପ୍ରୟୋଗ ପରେ କରୋନା ଭୂତାଣୁର ମୁକବିଲା କରିବାରେ ଏହା ସଫଳ ହୋଇଛି ।

ଟୀକା ନେଇଥିବା ବ୍ୟକ୍ତିଙ୍କ ଭିତରେ ଭୂତାଣୁର ମୁକାବିଲା କରିବାକୁ ଆଂଟିବଡି ବିକଶିତ ହୋଇଥିବା ଦେଖିବାକୁ ମିଳିଛି । ହେଲେ ଏକ ସଫଳ ଟୀକା ପ୍ରସ୍ତୁତ କରିବାକୁ ହେଲେ ଏହାକୁ ଅଧିକ ଲୋକଙ୍କ ଦେହରେ ପ୍ରୟୋଗ କରି ଦୀର୍ଘଦିନ ଯାଏଁ ଏହାର ନିରିକ୍ଷଣ କରିବାକୁ ପଡିବ । ତଥାପି ପ୍ରାଥମିକ ପରୀକ୍ଷଣରେ ସଫଳତା ମିଳିଥିବାରୁ ମୋଡେର୍ଣ୍ଣା ପକ୍ଷରୁ ଏହାର ପରୀକ୍ଷଣକୁ ବ୍ୟାପକ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାୟ ୬ଶହ ଜଣଙ୍କୁ ଏହି ଟିକା ଦିଆଯିବ ବୋଲି କମ୍ପାନି କହିଛି । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆଲର୍ଜି ଆଣ୍ଡ ଇନଫେକ୍ସିଅସ ଡିଜିଜ ସହ ମିଳିତ ଭାବେ ଏହି କରୋନା ଟିକା ପ୍ରସ୍ତୁତ କରୁଛି ମୋଡେର୍ଣ୍ଣ କମ୍ପାନି । ଯେଉଁ କମ୍ପାନି ସର୍ବପ୍ରଥମେ କରୋନା ଟିକାର କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରିଥିଲା ।