ତାଲାବନ୍ଦ ବେଳେ ଖୋଲା ରହିବ ଗ୍ରୋସରୀ, ପାଣି,ଔଷଧ ଦୋକାନ ସହ ଜରୁରୀକାଳିନ ସେବା : ଟ୍ୟାକ୍ସି ଓ ଅଟୋରିକ୍ସା ଉପରେ କଟକଣା, ବାଦ ପଡିବ ମେଡିକାଲକୁ ଯିବା ଆସିବା କରୁଥିବା ଗାଡି

1,380

କନକ ବ୍ୟୁରୋ : କରୋନା ସଂକ୍ରମଣ ରୋକିବା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ୫ ଟି ଜିଲ୍ଲା ଓ ୮ ଟି ସହରକୁ ଲକ୍ ଡାଉନ୍ ବା ତାଲା ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ଅତି ଆବଶ୍ୟକ ନହେଲେ ଲୋକେ ଘରୁ ବାହାରକୁ ଆସିବେ ନାହିଁ । ଦୋକାନ, ବଜାର ଆଦି ସଂପୂର୍ଣ୍ଣ ବନ୍ଦ ରହିବ । ରାସ୍ତାରେ ବି ଗଡ଼ିବନାହିଁ ଟାକ୍ସି ଓ ଅଟୋ ରିକ୍ସା । ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଗଂଜାମ, ଅନୁଗୁଳ ଜିଲ୍ଲାର ସବୁ ଗାଁ ଓ ସହର ତାଲା ବନ୍ଦ ରହିବ । ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ । ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ କରି ଦେଇଛନ୍ତି ସରକାର ।

ନଜର ପକାନ୍ତୁ ପ୍ରଥମ ପର୍ଯ୍ୟାୟରେ କେଉଁ ଅଂଚଳ ହେବ ଲକ୍ ଡାଉନ୍ ବା ତାଲା ବନ୍ଦ?
୫ ଜିଲ୍ଲା – ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ
୮ ସହର – ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍

 ଆସନ୍ତୁ ଜାଣିବା ଲକ୍ ଡାଉନ୍ ବା ତାଲା ବନ୍ଦ ବେଳେ କ’ଣ ରହିବ ବନ୍ଦ?
– ଛୋଟ ବଡ଼ ଦୋକାନ, ବଜାର, ହାଟ, ମଲ୍, ରେଷ୍ଟ୍ରୁରାଂଟ, ଘରୋଇ ପ୍ରତିଷ୍ଠାନ, କମ୍ପାନୀ
– ଟାକ୍ସି ଓ ଅଟୋ ରିକ୍ସା ଚଳାଚଳ ଉପରେ ରୋକ୍ ଲାଗିଥିବା ବେଳେ ସହର ସହର ମଧ୍ୟରେ ବସ୍ ଚଳାଚଳ କରିବ କି ନାହିଁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ।

 କ’ଣ ରହିବ ଖୋଲା?
– ବସ, ଟ୍ରେନ୍, ବିମାନ ସେବା, ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା,
– ଚିକେନ୍, ପେଟ୍ରୋଲ ପମ୍ପ, ମେଡିସିନ୍ ଦୋକନ
– ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ମ୍ୟୁନିସ୍ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ଓଡିଆରଏଏଫ୍, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହାର ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । କେବଳ ସଚେତନତା ଦ୍ୱାରା ଏହାକୁ ରୋକାଯାଇ ପାରିବ । ଘରେ ରହିଲେ ହିଁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିପାରିବେ । ଏହି ରଣନୀତି ଆପଣେଇ ଚୀନର ଉହାନ ପ୍ରଦେଶ କରୋନା ଭାଇରସ୍କୁ ହରାଇ ପାରିଛି । ତେଣୁ ଏପରି ରଣନୀତି ଆପଣେଇଛନ୍ତି ରାଜ୍ୟ ସରକାର । ଏହି କଟକଣାକୁ ଭାଙ୍ଗିବାକୁ ଯିଏ ଚେଷ୍ଟା କରିବ ତା’ ବିରୋଧରେ କଠୋର ପଦକ୍ଷେପ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।