ସାନ ପୁଅ ବୋଲି ବେଶ୍ ଗେହ୍ଲା ଥିଲେ . . ହେଲେ ଶେଷ ସମୟରେ ବାପାଙ୍କୁ ଟିକିଏ ଦେଖିପାରିଲେନି : ଲକଡାଉନ୍ ପାଇଁ ଚେନ୍ନାଇରୁ ଫେରିପାରିଲାନି ପୁଅ, ଭିଡିଓ କଲିଂରେ ଦେଖିଲେ ବାପାଙ୍କ ଶେଷକୃତ୍ୟ

2,447

କନକ ବ୍ୟୁରୋ : ସାନ ‌ପୁଅ ବୋଲି, ସେ ଥିଲେ ବାପାଙ୍କର ଅତି ଗେହ୍ଲା । ଖାସ୍‌ ସେଇଥିପାଇଁ ଶେଷ ନିଃଶ୍ବାସ ନେଉଥିବା ବ‌େଳେ ବାପା କହିଲେ, ମୋ’ ସାନପୁଅକୁ ଡାକ, ତାକୁ ଟିକେ ଦେଖିବି । ଖବର ପାଇବା କ୍ଷଣି ଚେନ୍ନାଇରେ ଚାକିରି କରିଥିବା ସୁକାନ୍ତ ଓଡ଼ିଶା ଫେରିବାକୁ ଗାଡ଼ି ପାସ୍‌ ଯୋଗାଡ଼ରେ ଲାଗି ପଡ଼ିଥିଲେ । ହେଲେ କେଇଘଣ୍ଟା ପରେ ଖବର ପାଇଲେ, ତାଙ୍କ ବାପା ଆଉ ନାହାନ୍ତି । ଲକଡାଉନ୍‌ରେ ଗାଡ଼ି ମୋଟରର ଅବ୍ୟବସ୍ଥା ଓ ରାଜ୍ୟରେ ସୀମା ସିଲ୍‌ ଯୋଗୁଁ ‌ଶେଷରେ ଗେହ୍ଲା ପୁଅ ନିଜ ବାପାଙ୍କୁ ଶେଷ ସମୟରେ ବି ସଶରୀରେ ଦେଖିବାର ସୁଯୋଗ ପାଇପାରିଲା ନାହିଁ । କ‌ରୋନା ମହାମାରୀର ପ୍ରକୋପ ଯେ ଏତେ ଭୟଙ୍କର ହୋଇପାରେ, ତାହା ପରିଲକ୍ଷିତ ହୋଇଥିଲା ଚେନ୍ନାଇରେ ରହୁଥିବା ସୁକାନ୍ତ ପ୍ରଧାନଙ୍କ କ୍ଷେତ୍ରରେ ।

ଗତକାଲି ବିଳମ୍ବିତ ରାତିରେ ସ୍ବାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ହଜାରୀ ପ୍ରଧାନଙ୍କ ତାଙ୍କ ଭୁବନେଶ୍ବର ୟୁନିଟ୍‌-୧ସ୍ଥିତ ବାସଭବନରେ ହୃଦ୍‌ଘାତ ହୋଇଥିଲା । ତେଣୁ ଶେଷ ସମୟରେ ନିଜ ପୁଅ, ଝିଅମାନଙ୍କୁ ପାଖକୁ ଡକାଇଥିଲେ । ଇତିମଧ୍ୟରେ ତାଙ୍କ ବଡ଼ , ମଝିଆ ପୁଅ ସୁରେଶ ପ୍ରଧାନ ଓ ଝିଅମାନେ ତୁରନ୍ତ ନିକଟରେ ପହଞ୍ଚି ଯାଇଥିଲେ । କିନ୍ତୁ ସାନପୁଅଙ୍କୁ ଖୋଜୁଥିବାରୁ ସୁକାନ୍ତକୁ ଡକରା ଯାଇଥିଲା।  ଚେନ୍ନାଇରେ ଏକ ଘରୋଇ କମ୍ପାନିରେ ପ୍ରବନ୍ଧକ ଭାବେ କାର୍ଯ୍ୟରତ ସୁକାନ୍ତ ଓଡ଼ିଶା ଫେରିବାକୁ ଗାଡ଼ିର ପାସ୍‌ ପାଇବା ପାଇଁ ଲାଗିଥିଲେ । ମାତ୍ର କିଛି ସମୟ ପରେ ଭାଇମାନେ ବାପାଙ୍କ ମୃତ୍ୟୁ ଖବର ସୁକାନ୍ତକୁ ଜଣାଇଥିଲେ । ଓଡ଼ିଶା ସୀମା ସିଲ୍‌ ଯୋଗୁଁ ଶେଷରେ ଚେନ୍ନାଇରେ ରହି ବାପାଙ୍କୁ ସ୍ମୃତିଚାରଣ କରିବା ଛଡ଼ା ସୁକାନ୍ତଙ୍କ ପାଖେ ଆଉ କିଛି ଉପାୟ ନଥିଲା ।

ଶେଷରେ ବାପାଙ୍କ ଶେଷକୃତ୍ୟ ଦେଖିବାକୁ କହିବାରୁ ଭିଡିଓ କଲିଂ ମାଧ୍ୟମରେ ସୁକାନ୍ତଙ୍କୁ ଶେଷକୃତ୍ୟ ଦୃଶ୍ୟ ଦେଖାଯାଇଥିଲା । ଶେଷକୃତ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ନିଜ ବାପାଙ୍କର ଅନ୍ତିମ ସଂସ୍କାର ଏହି ଭିଡିଓ କଲିଂ ମାଧ୍ୟମରେ ଦେଖିଥିଲେ । ନୟାଗଡ଼ ରଣପୁରସ୍ଥିତ ଦେଉଳି ଗ୍ରାମରେ ହଜାରୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ନିଜ ବାପାଙ୍କ ଶେଷ ଦର୍ଶନ କରି ଅନ୍ତର କାନ୍ଦୁଥିଲେ ବି ଲକଡାଉନ୍ ସ୍ଥିତିରେ ସେ ଲାଚାର୍ ।