ଓଡ଼ିଶାରେ କରୋନା ପାଇଁ ହଇଚଇ : ଭାଇରସ୍ ସଂକ୍ରମଣ ସନ୍ଦେହରେ ଭିମସାରରେ ଭର୍ତ୍ତି ହେଲେ ଦୁବାଇରୁ ଫେରିଥିବା ଯୁବକ

483

କନକ ବ୍ୟୁରୋ : କରୋନା ସଂକ୍ରମଣ ସନ୍ଦେହରେ ବୁର୍ଲା ଭିମସାରରେ ଜଣେ ଯୁବକଙ୍କୁ ଭର୍ତ୍ତି କରାଯାଇଛି । ସୋନପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଯୁବକଙ୍କୁ ଭିମସାରଙ୍କୁ ସ୍ଥାନାନ୍ତର କରାଯାଇଛି । ଆଇସୋଲେସନ ୱାର୍ଡ଼ରେ ରଖି ଚିକିତ୍ସା କରାଯାଉଛି । ଯୁବକ ଜଣଙ୍କ କିଛି ଦିନ ତଳେ ଦୁବାଇରୁ ଫେରିଥିଲେ । ସେପଟେ କରୋନା ଭାଇରସରେ ସଂକ୍ରମଣ ସନ୍ଦେହରେ କେନ୍ଦୁଝରରେ ଜଣେ ଯୁବକଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି  । ଯୁବକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଯୁବକ ଜଣଙ୍କ ଆଣ୍ଡାମାନରୁ ଫେରିଥିଲେ ।

ସେପଟେ କରୋନା ସଂକ୍ରମଣକୁ ନେଇ ଆଡଭାଇଜରି ଜାରି କରିଛନ୍ତି ଏସଆରସି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍-୧୯କୁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ଭାବେ ବର୍ଣ୍ଣନା କରିଛି । ଏହା ଧିରେ ଧିରେ ବିଶ୍ୱର ଅନ୍ୟ ଦେଶମାନଙ୍କୁ ବ୍ୟାପିବାରେ ଲାଗିଛି । ଏପର୍ଯ୍ୟନ୍ତ ବିଶ୍ୱର ୭୫ଟି ଦେଶକୁ ଏହା ବ୍ୟାପିଛି । ଏସବୁକୁ ଆଖି ଆଗରେ ରଖି ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି । କାର୍ଯ୍ୟାଳୟକୁ ପରିଷ୍କାର ଓ ହାଇଜିନିକ ରଖିବାକୁ କୁହାଯାଇଛି । ଚଟାଣ, ଟେବୁଲ, ଡେସ୍କ. ଟେଲିଫୋନ, କିବୋର୍ଡ, ଭଲ ଭାବରେ ବିଶୋଧନ କରିବାକୁ କୁହାଯାଇଛି । ବିଶୋଧନ ପାଇଁ ୭୦ ପ୍ରତିଶତ ଆଲକହଲ ଯୁକ୍ତ ବିଶୋଧକ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ କର୍ମଚାରୀମାନେ ଯଥେଷ୍ଟ ସତର୍କ ରହିବାକୁ କୁାହାଯାଉଛି । ଥଣ୍ଡାରେ ସଂକ୍ରମିତ କୌଣସି ବ୍ୟକ୍ତିଙ୍କ ଅତି ନିକଟକୁ ଯିବାକୁ ମନା କରାଯାଇଛି । ପରସ୍ପର ସହିତ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବାକୁ ମନା କରାଯାଇଛି । ଥଣ୍ଡାରେ ଆକ୍ରାନ୍ତ ହେଲେ ଘରେ ରହିବା ପାଇଁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନହେଲେ କର୍ମଚାରୀଙ୍କୁ କରୋନା ପ୍ରଭାବିତ ଦେଶଗୁଡିକୁ ପଠାଇବା ପାଇଁ ବାରଣ କରାଯାଇଛି ।

ଅନ୍ୟପଟେ କରୋନାକୁ ଭାଇରସକୁ ନେଇ ଲୋକସଭା ଭବନରେ ଉଚ୍ଚସ୍ତରୀୟ ବୈଠକ ବସିଛି । ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ । ଏବେ ରାଜ୍ୟରେ ୧୧୫ ଜଣ କରୋନା ସନ୍ଦେହରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି ।