ପାରାଦୀପ ବନ୍ଦରରେ କରୋନା ସନ୍ଦିଗ୍ଧ ଦମ୍ପତ୍ତି : ସଂକ୍ରମଣ ସନ୍ଦେହରେ ଜାହାଜରେ ପହଞ୍ଚି ଯାଞ୍ଚ କରୁଛି ଡାକ୍ତରୀ ଦଳ

319

କନକ ବ୍ୟୁରୋ : କରୋନା ଭୂତାଣୁ ଆକ୍ରାନ୍ତ ସନ୍ଦେହରେ ୨ଜଣଙ୍କୁ ପାରାଦୀପ ବନ୍ଦରରେ ଅଟକ ରଖାଯାଇଛି । ୨ଜଣ ସନ୍ଦିଗ୍ଧ ସ୍ୱାମୀ-ସ୍ତ୍ରୀ ହୋଇଥିବାବେଳେ ଉଭୟ ସିଙ୍ଗାପୁରରୁ ଜାହାଜ ଯୋଗେ ଫେରିଛନ୍ତି । ପାରାଦୀପ ବନ୍ଦରରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ପହଁଚି ଦୁହିଁଙ୍କ ସ୍ୱାସ୍ଥ୍ୟର ଯାଂଚ କରୁଛି । ଏମାନେ ଅସୁସ୍ଥ ଥିବାରୁ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି । ସେମାନଙ୍କୁ ବର୍ତମାନ ପାଇଁ ଜାହାଜରୁ ଓହ୍ଲାଇବାକୁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ମିଳୁଛି ।

ସେମାନେ ସିଙ୍ଗାପୁରରୁ ଆଉ କେଉଁ ଦେଶକୁ ଯାଇଥିଲେ, ସେ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି । ଡାକ୍ତରୀଦଳ ବର୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରୁଛନ୍ତି । ପୂର୍ବରୁ ମଧ୍ୟ ଚୀନରୁ ଆସିଥିବା ଏକ ଜାହାଜ ଧାମରାରେ ଲାଗିଥିଲା । ଜାହାଜରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଂଚ କରାଯାଇଥିଲା । ଏବେ ସିଙ୍ଗାପୁରରୁ ଆସିଥିବା ଏହି ଦମ୍ପତିଙ୍କର ରକ୍ତ ନମୁନା ପୁନେ ପଠାଯିବ ବୋଲି ଜଣା ପଡିଛି ।

ସେପଟେ ଓଡ଼ିଶାରେ କରୋନା ସଂକ୍ରମଣ ଭୟ ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ମନ୍ତ୍ରୀଙ୍କ କହିବା ଅନୁସାରେ ଓ ରାଜ୍ୟ ସରକାର କରୋନା ନେଇ ସଚେତନ ଅଛନ୍ତି ଓ ଏହାର ମୁକାବିଲା ଲାଗି ସବୁ ଡାକ୍ତରଖାନା ପ୍ରସ୍ତୁତ ରହିଛନ୍ତି। ରାଜ୍ୟର ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।  ସେହିପରି ରେଳ ଷ୍ଟେସନଗୁଡ଼ିକରେ ମଧ୍ୟ ରାଜ୍ୟକୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।