କଟକ ବଡ ମେଡିକାଲରେ ଭର୍ତ୍ତି ହେଲେ କରୋନା ସନ୍ଦୀଗ୍ଧ ଦମ୍ପତି :  ସିଙ୍ଗାପୁରରୁ ଆସିଥିବା ଦମ୍ପତିଙ୍କୁ ଏସସିବି ସ୍ଥାନାନ୍ତର

724

କନକ ବ୍ୟୁରୋ : ଏସସିବିରେ କରୋନା ଭୂତାଣୁ ଆକ୍ରାନ୍ତ ସନ୍ଦେହରେ ପାରାଦୀପ ବନ୍ଦରରେ ଅଟକ ଦମ୍ପତି କଟକ ସ୍ଥାନାନ୍ତର । ସନ୍ଦୀଗ୍ଧ ସ୍ୱାମୀ-ସ୍ତ୍ରୀ ଉଭୟ ସିଙ୍ଗାପୁରରୁ ଜାହାଜ ଯୋଗେ ଫେରିଥିଲେ । ପାରାଦୀପ ବନ୍ଦରରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ପରେ ସେମାନଙ୍କୁ କଟକ ସ୍ଥାନନ୍ତର କରାଯାଇଛି । ଏବେ ସେମାନେ କଟକ ବଡ ମେଡିକାଲରେ ଭର୍ତି ହୋଇଛନ୍ତି । ସିଙ୍ଗାପୁରରୁ ଆସିଥିବା ଦମ୍ପତି ଅସୁସ୍ଥ ଥିବାରୁ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି ।

ସେମାନଙ୍କୁ ପ୍ରଥମେ ଜାହାଜରୁ ଓହ୍ଲାଇବାକୁ ଅନୁମତି ଦିଆଯାଉନଥିଲା ।  ସିଙ୍ଗାପୁରରୁ ଆଉ କେଉଁ ଦେଶକୁ ଯାଇଥିଲେ, ସେ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି । ପୂର୍ବରୁ ମଧ୍ୟ ଚୀନରୁ ଆସିଥିବା ଏକ ଜାହାଜ ଧାମରାରେ ଲାଗିଥିଲା । ଜାହାଜରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଂଚ କରାଯାଇଥିଲା । ଏବେ ସିଙ୍ଗାପୁରରୁ ଆସିଥିବା ଏହି ଦମ୍ପତିଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ରକ୍ତ ନମୁନା ପୁନେ ପଠାଯିବ ବୋଲି ଜଣାପଡିଛି ।

ସେପଟେ କରୋନା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ  କଟକଣା ବଢିଲା ।  ବିଦେଶରୁ ଆସୁଥିବା  ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।  ବିଦେଶ ଗସ୍ତ ପୂର୍ବରୁ ସମସ୍ତ ଯାତ୍ରୀୀଙ୍କୁ ଯାଂଚ କରାଯାଉଛି ।  ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ  ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯାଂଚ କରାଯାଉଛି  ।

ଅନ୍ୟପଟେ ଓଡିଶାରେ କରୋନା  ଭୟ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।  ରାଜ୍ୟ ସରକାର ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।   ମନ୍ତ୍ରୀ କହିଛନ୍ତି, ଦୁଇଟି ବିମାନବନ୍ଦର ଝାରସୁଗୁଡା  ଓ ଭୁବନେଶ୍ୱର ଉପରେ କଡା ନଜର ରଖାଯାଇଛି । ରାଜ୍ୟରେ କରୋନା ଚିହ୍ନଟ ହୋଇନି ।